ବଲାଙ୍ଗୀରରେ ବଢୁଛି ଗଞ୍ଜେଇ ବେପାର: ଦୁଇ ଦିନରେ ଷ୍ଟେଶନରୁ ୧୭ କେଜି ଗଞ୍ଜେଇ ଜବତ, ବନ୍ଧା ହେଲେ ଦୁଇ ଅଭିଯୁକ୍ତ

ବଲାଙ୍ଗୀର,୨୯।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଳବାଇ ପୋଲିସ ଗତ ଦୁଇଦିନ ମଧ୍ୟରେ ୧୭ କେଜି ଗଞ୍ଜେଇ ଜବତ କରି ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଦୁଇ ଅଭିଯୁକ୍ତ ଟ୍ରେନରେ ପୋଲିସକୁ ଚକମା ଦେଇ ଗଞ୍ଜେଇ ଚାଲାଣ କରୁଥିଲେ। ହେଲେ ବଲାଙ୍ଗୀର ରେଳବାଇ ପୋଲିସ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଛି ।

ବଲାଙ୍ଗୀର ରେଳବାଇ ପୋଲିସ ବୁଧବାର ସ୍ଥାନୀୟ ରେଳ ଷ୍ଟେଶନରୁ ୧୨ କେଜି ଗଞ୍ଜେଇ ଜବତ କରିଥିଲା। ଏହି ଘଟଣାରେ ଜଣେ ଯୁବକଙ୍କୁ ଗିରଫ କରିଥିଲା। ଗିରଫ ଯୁବକ ହେଲେ ରାଜସ୍ଥାନର ରାହୁଲ ପ୍ରଜାପତି(୨୨) । ସେହିପରି ଗୁରୁବାର ପୋଲିସ ଷ୍ଟେଶନରୁ ୫ କେଜି ଗଞ୍ଜେଇ ଜବତ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ରାଜସ୍ଥାନର ଇରଫାନ ଖାନ୍‌(୪୨) l

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ରାହୁଲ ଏକ ଟ୍ରଲି ବ୍ୟାଗରେ ଗଞ୍ଜେଇ ଭର୍ତ୍ତି କରି ବଲାଙ୍ଗୀର ରେଲୱେ ଷ୍ଟେଶନରୁ ରାଜସ୍ଥାନ ଯିବ ପାଇଁ ରାୟପୁର ଇଣ୍ଟରସିଟି ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ଯୁବକ ଜଣକ ଷ୍ଟେଶନରେ ପୋଲିସକୁ ଦେଖ ଖସି ଯିବାକୁ ଉଦ୍ୟମ କରିଥିଲେ। ପାଟ୍ରୋଲିଂ ସ୍କ୍ବାର୍ଡ ତାଙ୍କୁ ସନ୍ଦେହରେ ଅଟକାଇଥିଲେ। ପରେ ତାଙ୍କ ବ୍ୟାଗ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ବ୍ୟାଗରୁ ୧୨ଟି ସିଲ୍ଡ ଗଞ୍ଜେଇ ପ୍ୟାକେଟ ମିଳିଥିଲା।

ସେହିପରି ଗୁରୁବାର ଏକ ବ୍ୟାଗରେ ଗଞ୍ଜେଇ ଧରି ଇରଫାନ ଟ୍ରେନ୍‌ରେ ରାଜସ୍ଥାନ ଯିବା ପାଇଁ ଷ୍ଟେଶନରେ ଅଟକି ଥିବା ବେଳେ ପୋଲିସ ସନ୍ଦେହରେ ବ୍ୟାଗକୁ ଯାଞ୍ଚ କରିଥିଲା  । ସେଥିରୁ ୫ ପ୍ୟାକେଟ ଗଞ୍ଜେଇ ବାହାରି ଥିଲା l ଓଜନ କରାଯିବାରୁ ସେଥିରେ ୫କେଜି ଗଞ୍ଜେଇ ରହିଥିଲା। ଏହାର ଆନୁମାନିକ ମୂଲ୍ୟ ପଚାଶ ହଜାର ଟଙ୍କା ହେବ ।

ରେଳବାଇ ଏସ୍‌ପି କୃଷ୍ଣ ପ୍ରସାଦ ଦାଶଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗୀର ରେଳବାଇ ଥାନା ଅଧିକାରୀ ସନ୍ତୋଷ କୁମାର ମିର୍ଦ୍ଧାଙ୍କ ତତ୍ତ୍ୱାବଧାନରେ ଏହି ଚଢ଼ାଉ କରାଯାଇଥିଲା। ଅଭିଯୁକ୍ତ ଦ୍ୱୟ କେଉଁଠାରୁ ଗଞ୍ଜେଇ ଆଣି କେଉଁଠିକୁ ନେଉଥିଲେ ତା’ର ତଦନ୍ତ ଚାଲିଥିବା ରେଲବାଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷେ ରାଜ୍ୟ ସରକାର ନିଶା କାରବାର ରୋକିବାକୁ କଡ଼ା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ବଲାଙ୍ଗୀର ଜିଲାରେ ତାର ଓଲଟା ଦେଖିବାକୁ ମିଳିଛି l ଜିଲାରେ ଖୁଲମ୍‌ ଖୁଲା ଗଞ୍ଜେଇଠୁ ଆରମ୍ଭ କରି କଫ୍‌ ସିରପ, ଚୋରା ମଦ କାରବାର ବଢି ଚାଲୁଥିବା ଅଭିଯୋଗ ହେଉଛି l ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗଞ୍ଜେଇ ବେପାରୀଙ୍କୁ ଧରୁଥିବା ବେଳେ ଜିଲାରେ ଅବକାରୀ ବିଭାଗ ଶୋଇ ପଡିଛି। ଏନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

Share