ବସ୍‌ରେ ଗଞ୍ଜେଇ ଚାଲାଣ, ଦୁଇ ଜଣଙ୍କୁ ଗିରଫ କଲା ପୋଲିସ

ଜୁନାଗଡ,୨୬।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ ପୋଲିସ ବୁଧବାର ସକାଳେ ଏକ ବସ୍‌ରେ ଗଞ୍ଜେଇ ଚାଲାଣ ଉପରେ ଚଢାଉ କରିଛି। ଏଥିରେ ୨ଜଣଙ୍କୁ ଗିରଫ କରିଛି। ପରେ ଥାନାକୁ ବସକୁ ଆଣି ଯାଞ୍ଚ କରିବା ପରେ ବସ୍‌ର ଡିକିରେ ବିପୁଳ ପରିମାଣର ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ବସ୍‌ଟି ମାଲକାନଗିରିରୁ ଉତ୍ତରପ୍ରଦେଶ ଯାଉଥିଲା ବୋଲି ସନ୍ଦେହ କରାଯାଇଛି। ଗିରଫ ଦ୍ୱୟ ହେଉଛନ୍ତି ବସର ଡ୍ରାଇଭର ଅର୍ଜୁନ ବଗର୍ତ୍ତୀ ଓ ହେଲପର ନକୁଲ ପ୍ରଧାନ ବଲାଙ୍ଗୀର ଜିଲାର ବୋଲି ଜଣାପଡିଛି। ଘଟଣାସ୍ଥଳରେ ଏକ୍ସଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ବେଦବ୍ୟାସ ଭୋଇଙ୍କ ଉପସ୍ଥିତିରେ ଧର୍ମଗଡ ଏସଡିପିଓ ଧିରଜ କୁମାର ଚୋପଦାର,ଜୁନାଗଡ ଆଇଆଇସି ଉତ୍ତମ କୁମାର ସାହୁ ତଦନ୍ତ ସହ ଯାଞ୍ଚ ଆରମ୍ଭ କରାଯାଇଥିଲା। ଏହି ସମୟରେ ବସର ଗାଡି ଡିକିରୁ ୮ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।