ଭଞ୍ଜନଗର,୨ା୯(ବାବୁଲା ପ୍ରଧାନ): ଗଞ୍ଜେଇ ଚାଲାଣବେଳେ ଭଞ୍ଜନଗର ପୋଲିସ ଦୁଇଜଣଙ୍କୁ ଗିରଫ କରିବା ସହ ୨୪ କେଜି ୭୯୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏଥିସହ ଏକ ମୋଟରସାଇକେଲ ଓ ନଗଦ ୧୧୦୦ ଟଙ୍କା ମଧ୍ୟ ଜବତ ହୋଇଛି।
ପୋଲିସ ସୂଚନା ଅନୁଯାୟୀ, ବୁଧବାର ସକାଳେ ଭଞ୍ଜନଗର ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ପାଟ୍ରୋଲିଂ ଓ ବ୍ଲକିଂ ଚାଲିଥିବା ବେଳେ ମା’ ସୋରାଦେବୀ ମନ୍ଦିର ଛକ ନିକଟରେ ଦୁଇଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକାଯାଇଥିଲା। ସେମାନେ ଏକ କଳା ଓ ଲାଲ ରଙ୍ଗର ମୋଟରସାଇକେଲରେ ଯାଉଥିଲେ। ଯାଞ୍ଚ ବେଳେ ବାଇକରେ ଥିବା ଏକ ସବୁଜ ରଙ୍ଗର ଜରି ବ୍ୟାଗରୁ ଗଞ୍ଜେଇ ମିଳିଥିଲା।
ଗିରଫ ଦୁଇଜଣ ହେଲେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା କେନ୍ଦୁପଲ୍ଲୀ ଗ୍ରାମର ଲୋକନାଥ ମହାନ୍ତିଙ୍କ ପୁଅ ରମେଶ କୁମାର ମହାନ୍ତି (୨୬) ଓ ବେଗୁନିଆ ଥାନା କଣ୍ଟାପଡ଼ା ଗ୍ରାମର ସ୍ବର୍ଗତ ଚନ୍ଦ୍ରଶେଖର ଗୁରୁଙ୍କ ପୁଅ ସତ୍ୟନାରାୟଣ ଗୁରୁ (୪୨)। ପଚରାଉଚରା ବେଳେ ସେମାନେ ଗଞ୍ଜେଇ ଅଜଣା ଗ୍ରାହକଙ୍କୁ ବିକ୍ରି କରିବା ଉଦ୍ଦେଶ୍ୟରେ ନେଇଯାଉଥିବା ପୋଲିସ ନିକଟରେ କହିଥିବା ପ୍ରେସ ରିଲିଜ୍ରେ ଦର୍ଶାଯାଇଛି।
ଏହି ଘଟଣାରେ ଭଞ୍ଜନଗର ଥାନାରେ କେସ୍ ନମ୍ବର ୯୦୯/୨୬ରେ ଏକ ମାମଲା ଅନୁଯାୟୀ ମାମଲା ରୁଜୁ ହୋଇଛି। ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଅତିରିକ୍ତ ତହସିଲଦାର ଅବିନାଶ ମହାର ଥିଲେ।
ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟକୁ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଜୀବନାନନ୍ଦ ଜେନା ଏଠାରେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, କନ୍ଧମାଳ ଜିଲାରୁ ଦୈନନ୍ଦିନ ବିପୁଳ ପରିମାଣର ଗଞ୍ଜେଇ ବିଭିନ୍ନ ରାସ୍ତା ଦେଇ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ ହେଉଛି। ଅବକାରୀ ଓ ପୋଲିସ ବିଭାଗ କିଛି ସମୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହେଉଛି। ତଥାପି ଗଞ୍ଜେଇ କାରବାର କମିବାକୁ ନାହିଁ।