କାର୍‌ ସହ ଧରାପଡ଼ିଲେ ଗଞ୍ଜେଇ ବେପାରୀ

ଫିରିଙ୍ଗିଆ,୫ା୩(ବିକ୍ରମ ଦିଗାଲ): ଫିରିଙ୍ଗିଆ ଥାନା ବନ୍ଧଗଡ଼ ପଞ୍ଚାୟତ ଅଧୀନ ମଣିପଦର ଗାଁ ନିକଟ ମୁଖ୍ୟ ରାସ୍ତାରୁ ପୋଲିସ ଏକ କାର ସହ ୧୨୬ କି.ଗ୍ରା ଗଞ୍ଜେଇ ଜବତ କରିଛି। ଏଥିସହ ପୋଲିସ ଗଞ୍ଜେଇ ଚାଲାଣ କରୁଥିବା ୨ ବ୍ୟବସାୟୀଙ୍କୁ ଗିରଫ କରିଛି । ସେମାନେ ହେଲେ ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ଅନ୍ଧାରୀ ଗାଁର ଜ୍ଞାନରଞ୍ଜନ ପୃଷ୍ଟି ଓ କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବଡପଦର ଗାଁର ସୁକାନ୍ତ ଜେନା ।

ଉଭୟେ ଏକ କାରରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଫିରିଙ୍ଗିଆ ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା। ଅତିରିକ୍ତ ଥାନା ଅଧିକାରୀ ଅଜୟ କୁମାର ସାହୁ, ଏଏସଆଇ ଶ୍ରୀକାନ୍ତ ପତ୍ରଙ୍କ ସହ ଅନ୍ୟ ପୋଲିସ କର୍ମଚାରୀ କାର୍‌କୁ ଅଟକାଇ ୨ ଅଭିଯୁକ୍ତଙ୍କୁ କାବୁ କରିଥିଲେ। ଏ ନେଇ ଫିରିଙ୍ଗିଆ ଥାନାରେ ନଂ.୫୮/୨୪ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅତିରିକ୍ତ ଥାନା ଅଧିକାରୀ ସୂଚନା ଦେଇଛନ୍ତି।