ବୋଲେରୋରେ ନେଉଥିଲେ ଧରାପଡ଼ିଲେ

କୋକସରା, ୩୧ା୭ (ଡି.ଏନ.ଏ): ପଡୋଶୀ ଆନ୍ଧ୍ରପ୍ରଦେଶରୁ କୋରାପୁଟକୁ ଲମ୍ବିଛି ଗଞ୍ଜେଇ ବ୍ୟବସାୟୀଙ୍କ ଚେର। କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରୁ ରାଜପଥ ଦେଇ ପ୍ରତିଦିନ ଗଞ୍ଜେଇ ଚାଲାଣ ହେଉଛି । ଶୁକ୍ରବାର ବିଳମ୍ବିତ ରାତିରେ କୌଣସି ସୂତ୍ରରୁ ଖବର ପାଇ ସ୍ଥାନୀୟ ପୋଲିସ ଚଢ଼ାଉ କରି କୋକସରା ବ୍ଲକର ଟେମରା ମଦଭାଟି ଛକ ନିକଟରୁ ଏକ ବୋଲେରୋ ଗାଡିରୁ ୨୨ ପ୍ୟାକେଟ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ବୋଲେରୋ ଡ୍ରାଇଭର ଫେରାର ଅଛନ୍ତି। ଅଭିଯୁକ୍ତଙ୍କ ନିକଟରୁ ୩ଟି ମୋବାଇଲ, ୪ ଏଟିଏମ୍‌ କାର୍ଡ, ୨ ଆଧାର କାର୍ଡ ଓ ଗଞ୍ଜେଇ ଚାଲାଣରେ ବ୍ୟବହୃତ ବୋଲେରୋ(ଓଡି ୧୦ କେ ୪୯୪୭)କୁ ଜବତ କରାଯାଇଛି। ଜବତ ଗଞ୍ଜେଇ ୪୪ କେଜି ଓ ବଜାରରେ ଏହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଗିରଫ ୩ ଅଭିଯୁକ୍ତ ହେଲେ କୋରାପୁଟ ଜିଲା ପାଡୁଆ ଗ୍ରାମର ଭିକାରି ଖରା (୪୫), ଗୋବିନ୍ଦ ପୁଝାରି(୨୬) ଓ କୋରାପୁଟ ଅଠାଗୁଡା ଗ୍ରାମର ଶଙ୍କର ରାଓ ଖୁଡ଼ା (୨୬)। ଏ ସଂକ୍ରାନ୍ତରେ କୋକସରା ଥାନାରେ ଏକ ମାମଲା (ନଂ.୧୫୬/୨୧) ରୁଜୁ ହୋଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ରମଣୀ ରଞ୍ଜନ ଦଲେଇ ସୂଚନା ଦେଇଛନ୍ତି ।