ପୁରୁଷୋତ୍ତମପୁର,୨୨।୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ମହିଳା ସବ୍ଇନ୍ସପେକ୍ଟର ପ୍ରଭାସିନୀ ସାହୁଙ୍କ ଝୁଲନ୍ତା ମୃତଦେହ ଥାନା ପରିଷର କ୍ବାଟରୁ ମିଳିବା ଘଟଣା ଚର୍ଚ୍ଚାର ବିଷୟ ସାଜିଛି । କେଉଁ କାରଣ ପାଇଁ ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ବର୍ତ୍ତମାନ ସନ୍ଦେହ ଘେରରେ ରହିଛି । ଆତ୍ମହତ୍ୟାର କାରଣ କଣ ତାହା ସଭିଙ୍କ ମନରେ ଉଙ୍କି ମାରୁଛି । ହେଲେ ମୃତ୍ୟୁକୁ ପୁରୁଷୋତ୍ତମପୁରବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି ।
ସେ ମାତ୍ର ଦୁଇମାସରେ ନିଜ କାର୍ଯ୍ୟଶୈଳୀରେ ଜନସାଧାରଣଙ୍କ ମନ ଜିଣିଥିଲେ । ଯାହାକ ପୁରୁଷୋତ୍ତମପୁରବାସୀ ଝୁରିବାରେ ଲାଗିଛନ୍ତି । ଗତ ସେପ୍ଟେମ୍ବର ୧୩ ତାରିଖରେ ସେ ପୁରୁଷୋତ୍ତମପୁର ଥାନାରେ ନୂତନ ଭାବେ ଯୋଗଦେଇଥିଲେ। ଏହି ଅଳ୍ପଦିନର କାର୍ଯକାଳ ମଧ୍ଯ୍ଯରେ ସେ ଜନସାଧାରଣଙ୍କ ନିକଟତର ହୋଇ ଥାନାକୁ ଅଭିଯୋଗନେଇ ଆସୁଥିବା ବ୍ଯକ୍ତିଙ୍କୁ ନିଜପରିବାରର ସଦସ୍ଯ ଭଳି ବ୍ଯବହାର ସମସ୍ତଙ୍କ ପ୍ରିୟଭାଜନ କରିଥିଲା। ତାଙ୍କ ଅମର ଆତ୍ମାର ସଦ୍ଗତି କାମନା ସହ ମୃତ୍ୟୁର ପ୍ରକୃତ କାରଣ ଉନ୍ମୋଚନ ଓ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ସହରର ଯୁବଗୋଷ୍ଠୀ ଏକତ୍ରିତ ହୋଇ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲେ । ପ୍ରଭାସିନୀଙ୍କ ଫଟୋଚିତ୍ର ଧରି ସହର ପରିକ୍ରମା କରିଥିବା ଏହି ଶୋଭାଯାତ୍ରାରେ ବହୁ ମହିଳା ମଧ୍ୟ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ଏହି ଶୋକାକୁଳ ପରିବେଶ ମଧ୍ୟରେ ଗୋଟିଏ ସ୍ୱର ଶୁଣିବାକୁ ମିଳିଛି ପ୍ରଭାସିନୀଙ୍କ ମୃତ୍ୟୁର ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ହେଉ । ମୃତ୍ୟୁ ପଛରେ ଥିବା ପ୍ରକୃତ କାରଣ ସାମ୍ନାକୁ ଆସିବା ସହ ଶୋକସନ୍ତପ୍ତ ପରିବାରକୁ ନ୍ୟାୟ ମିଳୁ । ଏହି ଶୋଭାଯାତ୍ରାରେ ପବିତ୍ର ସେଠୀ, ସତ୍ୟନାରାୟଣ ମହାରଣା, ଟୁକୁଲି ପାଢ଼ୀ, ଶିଶିର ପଣ୍ଡା, ପ୍ରକାଶ ମହାପାତ୍ର, ନାରାୟଣ ସାହୁ, ସୁକୁମାର ଦାଶଙ୍କସମେତ ବହୁବ୍ଯକ୍ତି ସାମିଲ ହୋଇଥିଲେ ।