Categories: ଜାତୀୟ

ହାରିଗଲେ ଦଳବଦଳ ନେତା

ଲକ୍ଷ୍ନୌ,୧୧ା୩: ୟୁପିର ଫାଜିଲନଗର ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ସ୍ବାମୀ ପ୍ରସାଦ ମୌର୍ଯ୍ୟ ହାରିଯାଇଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ଯୋଗୀ କ୍ୟାବିନେଟରେ ଶ୍ରମମନ୍ତ୍ରୀ ଥିବା ପ୍ରମୁଖ ଓବିସି ଚେହେରା ସ୍ବାମୀ ମୌର୍ଯ୍ୟ ଭାଜପା ଛାଡ଼ି ଅଖିଳେଶ ଯାଦବଙ୍କ ପାର୍ଟିରେ ସାମିଲ ହୋଇଥିଲେ। ମୌର୍ଯ୍ୟଙ୍କ ପରେ ପରେ ଧର୍ମ ସିଂ ସଇନି ଏବଂ ଅନ୍ୟକେତେଜଣ ଓବିସି ନେତା ମଧ୍ୟ ଏସ୍‌ପିରେ ଯୋଗ ଦେଇଥିଲେ। ସେତେବେଳେ ଏହାକୁ ଦେଖି କେହି କେହି ଭାଜପାର ପତନ ଆରମ୍ଭ ବୋଲି ଧରି ନେଇଥିଲେ। ହେଲେ ଦଳ ଡିଆଁଙ୍କୁ ୟୁପି ଭୋଟର ପ୍ରତ୍ୟାଖ୍ୟାନ କରିଛନ୍ତି। ଫାଜିଲନଗରରେ ଭାଜପାର ସୁରେନ୍ଦ୍ର ସିଂ ପୁଷ୍ପା ସ୍ବାମୀ ମୌର୍ଯ୍ୟଙ୍କୁ ୭୧,୦୧୫ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ନକୁଳ ବିଧାନସଭା ଆସନରେ ଏସ୍‌ପି ପ୍ରାର୍ଥୀ ସଇନିଙ୍କୁ ଭାଜପାର ମୁକେଶ ଚୌଧୁରୀ ୩୧୫ ଭୋଟରେ ହରାଇଛନ୍ତି। ସେହିପରି ଭାଜପା ଛାଡ଼ି ଏସ୍‌ପିରେ ମିଶିଥିବା ବ୍ରୁଜେଶ ପ୍ରଜାପତି ତିନ୍ଦଓ୍ବାରୀ ଆସନରେ ଭାଜପା ପ୍ରାର୍ଥୀ ରମକେଶ ନିଶାଦଙ୍କଠାରୁ ୨୮,୪୨୫ ଭୋଟ ବ୍ୟବଧାନ ପରାଜିତ ହୋଇଛନ୍ତି।

Share