ଭୋଟର ତାଲିକାରେ ନାଁ ନ ଥିବାରୁ ଫେରିଲେ ପ୍ରାର୍ଥୀ

ଜଟଣୀ,୨୧।୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ବ୍ଲକ ଅଧୀନ ଛଣଘର କୁସୁମାଟି ପଞ୍ଚାୟତ କାର୍ଯ୍ୟାଳୟରେ ଚଳିତବର୍ଷ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନପତ୍ର ଦାଖଲ କରିବାକୁ ଆସିଥିବା ଆଶାୟୀ ପ୍ରାର୍ଥୀ ଓ ପ୍ରାର୍ଥତ୍ନୀମାନେ ଭୋଟର ତାଲିକାରେ ନାମ ନ ଥିବା ଜାଣି ନିରାଶ ହୋଇ ଫେରିଛନ୍ତି। ତେବେ ଏଭଳି କାର୍ଯ୍ୟ ଏକ ଉଦ୍ଦେଶ୍ୟମୂଳକ ଭାବେ କରାଯାଇଥିବା ଉକ୍ତ ପ୍ରାର୍ଥୀମାନେ ଅଭିଯୋଗ କରିଛନ୍ତି। ଜଟଣୀ ବ୍ଲକ ଅଧୀନ ଛଣଘର ପଞ୍ଚାୟତର ୱାର୍ଡ ନମ୍ବର ୬ରେ ରହୁଥିବା ଗୀତାଞ୍ଜଳି ନାୟକ ସରପଞ୍ଚ ପ୍ରାର୍ଥତ୍ନୀ ଭାବେ ଗୁରୁବାର ସମସ୍ତ ପ୍ରସ୍ତୁତି ସହିତ ଛଣଘର ପଞ୍ଚାୟତ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦେବା ପାଇଁ ପହଞ୍ଚତ୍ଥିଲେ। ତେବେ କାର୍ଯ୍ୟାଳୟରେ ଥିବା ଅଧିକାରୀମାନେ ଭୋଟର ତାଲିକାରେ ଗୀତାଞ୍ଜଳିଙ୍କ ନାଁ କଟିଯାଇଥିବା କହିଥିଲେ। ସେଥିପାଇଁ ନାମାଙ୍କନ ପତ୍ର ଦାଖଲ ହୋଇପାରିବନି ବୋଲି କହିଥିଲେ। ଫଳରେ ନିରାଶ ହୋଇ ଗୀତାଞ୍ଜଳି ସେଠାରୁ ଫେରିଥିଲେ। ସେହିପରି ଛଣଘର ପଞ୍ଚାୟତ ଅଧୀନ ୧୫ ନମ୍ବର ୱାର୍ଡ ଓଗରଶୁଆଁ ଗ୍ରାମର ବିଶ୍ୱଜିତ ଦିହୁଡ଼ି ମଧ୍ୟ ଅନେକ ସ୍ବପ୍ନ ନେଇ ଜନସେବା ଉଦ୍ଦେଶ୍ୟରେ ଗୁରୁବାର ୱାର୍ଡ ମେମ୍ବର ପ୍ରାର୍ଥୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାକୁ ଆସିଥିଲେ। କିନ୍ତୁ ତାଙ୍କର ମଧ୍ୟ ଭୋଟର ତାଲିକାରୁ ନାମ କଟିଯାଇଥିବା ଶୁଣି ନିରାଶରେ ଫେରିଥିଲେ। ଏ ନେଇ ଗୀତାଞ୍ଜଳି, ବିଶ୍ୱଜିତ ଏବଂ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିରଞ୍ଚି ବେହେରା ଅଭିଯୋଗ କରିଛନ୍ତି ଯେ, ୨୦୧୭ ଓ ୨୦୧୯ ମସିହା ଭୋଟର ତାଲିକାରେ ନାଁ ଥିଲା, କିନ୍ତୁ ଚଳିତ ନିର୍ବାଚନ ପାଇଁ ଜାରି ହୋଇଥିବା ଭୋଟର ତାଲିକାରେ ପଞ୍ଚାୟତର ୧୦ଟି ପରିବାରର ୫୩ଜଣଙ୍କ ନାମ ଜାଣିଶୁଣି ଉଦ୍ଦେଶ୍ୟମୂଳକ ଭାବେ କଟାଯାଇଛି। ଏ ସମ୍ପର୍କରେ ସେମାନେ ଜିଲାପାଳ ଓ ଉପଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା କହିଛନ୍ତି। ଏ ନେଇ ଛଣଘର ପଞ୍ଚାୟତର ପଞ୍ଚାୟତ ଅଧିକାରୀ ମଙ୍ଗରାଜ ରାଉତ କହିଛନ୍ତି, ଭୋଟର ତାଲିକାରୁ କିଛି ନାମ କଟିଯାଇଛି। ଏହା କିପରି ଓ କିଏ କରିଛନ୍ତି ତାହା ଜଣାନାହିଁ, ଉପରିସ୍ଥ ଅଧିକାରୀଙ୍କ ପକ୍ଷରୁ ସମାଧାନ ପାଇଁ ନିର୍ଦ୍ଦେଶ ଆସିଲେ କରାଯିବ।