ପ୍ରାର୍ଥୀ, ନେତାଙ୍କ ଚରିତ୍ରସଂହାର ମନା

ଜଗତ୍‌ସିଂହପୁର ଅଫିସ, ୯ା୩: ପୌର ନିର୍ବାଚନ ନିମନ୍ତେ ଫେବୃୟାରୀ ୨୫ରୁ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଏହି ସମୟ ମଧ୍ୟରେ କୌଣସି ଧର୍ମାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନରେ ନିର୍ବାଚନୀ ବୈଠକ, ମତ ପ୍ରଚାର କିମ୍ବା କର୍ମୀ ସମ୍ମିଳନୀ କରାଯାଇପାରିବ ନାହିଁ। ନିର୍ବାଚନୀ ସଭା ଓ ଶୋଭାଯାତ୍ରା ନିମନ୍ତେ ନିର୍ବାଚନ ଅଧିକାରୀଙ୍କଠାରୁ ପୂର୍ବରୁ ଅନୁମତି ନେବାକୁ ପଡ଼ିବ। ସ୍ଥାନୀୟ ପୋଲିସ ଓ ମାଜିଷ୍ଟ୍ରେଟଙ୍କୁ ଏହି ସଭା ଓ ଶୋଭାଯାତ୍ରା ସମ୍ପର୍କରେ ଆଗରୁ ଅବଗତ କରାଯିବ। କୌଣସି ପ୍ରାର୍ଥୀ ଓ ନେତାଙ୍କ ଚରିତ୍ର ସଂହାର କରିପାରିବେ ନାହିଁ। କେବଳ ଏତିକି ନୁହେଁ ସରକାରୀ କାର୍ଯ୍ୟାଳୟ ଓ ବ୍ୟକ୍ତି ବିଶେଷଙ୍କ ଘର ସମ୍ମୁଖରେ ପିକେଟିଂ କରିହେବ ନାହିଁ। ମଙ୍ଗଳବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଜିଲାରେ ପୌର ନିର୍ବାଚନ ସ୍ବଚ୍ଛ, ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ନିମନ୍ତେ ବିଭିନ୍ନ ରାଜନୈତିକ ଦଳ ପ୍ରତିନିଧିମାନଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଏହା କୁହାଯାଇଛି। ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ, ସର୍ବସାଧାରଣ ରାସ୍ତାରେ ପୋଷ୍ଟର, ବ୍ୟାନର, ପାମ୍ପଲେଟ୍‌, ହୋଡିଂ, ୱାଲ ରାଇଟିଂ ଆଦି ନିଷେଧ କରାଯାଇଛି। ନିର୍ବାଚନ ନିମନ୍ତେ ବ୍ୟବହୃତ ପୋଷ୍ଟର, ବ୍ୟାନର ଆଦି ଛପା ମୁଦ୍ରଣରେ ପ୍ରିଣ୍ଟର ଓ ପ୍ରକାଶକଙ୍କ ନାମ ଉଲ୍ଲେଖ ରହିବ। ମାର୍ଚ୍ଚ ୨୨ ଅପରାହ୍ନ ୫ଟାରୁ ୨୬ ତାରିଖ ପର୍ଯ୍ୟନ୍ତ ସମ୍ପୃକ୍ତ ପୌରାଞ୍ଚଳରେ କୌଣସି ଦେଶୀ ଓ ବିଦେଶୀ ମଦ ବିକ୍ରି ଓ ବ୍ୟବହାର ଉପରେ ରାଜ୍ୟ ନିର୍ବାଚନ ଆୟୋଗ କଟକଣା ଜାରି କରିଛନ୍ତି। ବୈଠକରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ପାରୁଲ ପଟୱାରୀ ଜଗତ୍‌ସିଂହପୁର ଓ ପାରାଦୀପ ପୌର ପରିଷଦ ନିର୍ବାଚନ ଯେପରି ଅବାଧ ଓ ନିରପେକ୍ଷ ହେବ ସେନେଇ ରାଜନୈତିକ ଦଳର ପ୍ରତିନିଧି ଓ କର୍ମକର୍ତ୍ତାମାନଙ୍କ ସହଯୋଗ କାମନା କରିଥିଲେ। ଆଦର୍ଶ ଆଚରଣ ବିଧି ତଦାରଖ ନିମନ୍ତେ ନୋଡାଲ ଅଧିକାରୀ ଭାବେ ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଥିବା ଜିଲାପାଳ ପ୍ରକାଶ କରିଛନ୍ତି। ବୈଠକରେ ଜିଲାର ସାଧାରଣ ପର୍ଯ୍ୟବେକ୍ଷକ ତଥା କୃଷି ଓ କୃଷକ ସଶକ୍ତିକରଣ ସ୍ବତନ୍ତ୍ର ସଚିବ ମଧୁସୂଦନ ମିଶ୍ର ଉପସ୍ଥିତ ରହି ଶାନ୍ତି ଓ ଶୃଙ୍ଖଳା ଉପରେ ଗୁରୁତ୍ୱାରୋପ କରିଥିଲେ। ଲାଉଡ୍‌ସ୍ପିକର ବ୍ୟବହାର ନିମନ୍ତେ ଉପଜିଲାପାଳଙ୍କଠାରୁ ଅନୁମତି ନେବାକୁ ପଡ଼ିବ। ରାତି ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଲାଉଡ୍‌ସ୍ପିକର ବ୍ୟବହାର ମନା। ନିର୍ବାଚନ ଶେଷ ହେବାର ୪୮ ଘଣ୍ଟା ପୂର୍ବରୁ ଲାଉଡ୍‌ସ୍ପିକର ବ୍ୟବହାର ବନ୍ଦ ରହିବ। ବୈଠକରେ ଜଗତ୍‌ସିଂହପୁର ଓ ପାରାଦୀପ ପୌର ପରିଷଦ ନିର୍ବାଚନ ଅଧିକାରୀଦ୍ୱୟଙ୍କ ସମେତ ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ ଉପସ୍ଥିତ ଥିଲେ।