ନିର୍ବାଚନ ପୂର୍ବରୁ ଭାଙ୍ଗିଦେଲେ ୱାର୍ଡସଭ୍ୟ ପ୍ରାର୍ଥୀଙ୍କ ଘର

ବାସୁଦେବପୁର,୨୧।୨(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନୂଆଗାଁ ପଞ୍ଚାୟତ ଭାତପଡ଼ା ଗ୍ରାମରେ ରାଜନୈତିକ ହିଂସା ଘଟିଛି। କଂଗ୍ରେସ ଏବଂ ବିଜେଡି ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଆକ୍ରମଣରେ ଦୁଇଜଣ ଆହତ ହୋଇଛନ୍ତି। ସେମାନେ ହେଲେ ପୂର୍ବତନ ସମିତିସଭ୍ୟ ତଥା ବରିଷ୍ଠ ବିଜେଡି ନେତା ଭଗବାନ ଚନ୍ଦ୍ର ନାୟକ ଏବଂ କଂଗ୍ରେସ ସମର୍ଥିତ ୱାର୍ଡମେମ୍ବର ପ୍ରାର୍ଥୀଙ୍କ ପୁଅ ସତ୍ୟବ୍ରତ ଜେନା। ଏପରିକି ପୂର୍ବତନ ସମିତିସଭ୍ୟ ତଥା କଂଗ୍ରେସ ନେତା ସୁରେନ୍ଦ୍ର ବିଶ୍ୱାଳଙ୍କ ବାଇକ୍‌ ଭଙ୍ଗାରୁଜା କରାଯାଇଛି। ସେହିପରି କିଛି ବ୍ୟକ୍ତି କଂଗ୍ରେସ ସମର୍ଥିତ ୱାର୍ଡସଭ୍ୟ ପ୍ରାର୍ଥୀ ପଦ୍ମଲୋଚନ ଜେନାଙ୍କ ଘରକୁ ଭାଙ୍ଗି ଦେଇଛନ୍ତି। ଏନେଇ ବାସୁଦେବପୁର ଥାନାରେ ୩ଟି ଅଭିଯୋଗ ହୋଇଛି।

ପୂର୍ବତନ ସମିତିସଭ୍ୟ ଭଗବାନଙ୍କ ଅଭିଯୋ ମୁତାବକ, ସେ ଘରେ ଥିବା ବେଳେ କିଛି କଂଗ୍ରେସ କର୍ମୀ ସଂଘବଦ୍ଧ ହୋଇ ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। ଘଟଣାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

ଅପରପକ୍ଷେ କଂଗ୍ରେସ ସମର୍ଥିତ ୱାର୍ଡ଼ମେମ୍ବର ପ୍ରାର୍ଥୀ ପଦ୍ମଲୋଚନ ଜେନାଙ୍କ ସ୍ତ୍ରୀ ମଞ୍ଜୁଲତା ଜେନାଙ୍କ ଅଭିଯୋଗ ମୁତାବକ, ବିପକ୍ଷ ରାଜନୈତିକ ଦଳର ଶତାଧିକ କର୍ମୀ ଯୋଜନା ମୁତାବକ ତାଙ୍କ ଘରେ ପସି ଘର ଏବଂ ଗାଡ଼ି ଭାଙ୍ଗବା ସହ ଘରୁ ମୋବାଇଲ ଫୋନ ଓ ଅନ୍ୟ ସାମଗ୍ରୀ ଲୁଟ୍‌ ନେଇଛନ୍ତି। ଏପରିକି ଆକ୍ରମଣରେ ତାଙ୍କ ପୁଅ ସତ୍ୟବ୍ରତ ମଧ୍ୟ ଆହତ ହୋଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଏନେଇ ସେ ଘଟଣାର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସେହିପରି କଂଗ୍ରେସର ପୂର୍ବତନ ସମିତିସଭ୍ୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କଛି ଯୁବକ ତାଙ୍କୁ ଗାଳିଗୁଲଜ କରିଥିଲେ। ପରେ ସେମାନେ ତାଙ୍କ ବାଇକ୍‌ ସହ ପିତା ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ମଣିଭଦ୍ର ବିଶ୍ୱାଳଙ୍କ ପ୍ରତିମୂର୍ତ୍ତି ଖମ୍ବକୁ ଭାଙ୍ଗି ଦେଇଛନ୍ତି। ଏନେଇ ବାସୁଦେବପୁର ଥାନାରେ ୩ଟି ପୃଥକ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଚଳାଇଛି। ସୂଚନା ଯୋଗ୍ୟ ୨୨ତାରିଖରେ ବାସୁଦେବପୁର ବ୍ଲକ ନୂଆଗାଁ ପଞ୍ଚାୟତରେ ଭୋଟ ଗ୍ରହଣ କରାଯିବ।