ଏମ୍‌ଆଇଏସ୍‌ ବୈଠକ ବର୍ଜନ କଲେ ଲୋକ ପ୍ରତିନିଧି

ଦାରିଙ୍ଗବାଡ଼ି,୨୮ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ କାର୍ଯ୍ୟାଳୟର ପିଇଓ ଏବଂ ଜିଆରଏସ୍‌ମାନଙ୍କ ବାରମ୍ବାର ବଦଳି ରୋକାଯିବା ଏବଂ ଏବେ ବଦଳି କରାଯାଇଥିବା ପିଇଓ ପାର୍ବ ପ୍ରଧାନ ଏବଂ ଜିଆରଏସ ଶଙ୍କର କୁମାର ପ୍ରଧାନ ଙ୍କ ବଦଳି ଦାବିରେ ବୁଧବାର ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ, ନାଏବ ସରପଞ୍ଚ ଓ ଓ୍ବାର୍ଡ ସଭ୍ୟାସଭମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆଜି ହେବାକୁ ଥିବା ଏମ୍‌ଆଇଏସ (ମ୍ୟାନେଜମେଣ୍ଟ ଇନ୍‌ଫର ମେଶିନ ସିଷ୍ଟମ ) ବୈଠକକୁ ବର୍ଜନ କରିଛନ୍ତି। ଏନେଇ ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ନେଇ ସରପଞ୍ଚ ଚନ୍ଦ୍ରିକା ମଲିକ, ନାଏବ ସରପଞ୍ଚ ଦୀପକ କୁମାର ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି। ତୁରନ୍ତ ସେମାନଙ୍କ ବଦଳି ବାତିଲ କରାଯାଇ ପଞ୍ଚାୟତ କାର୍ଯ୍ୟାଳୟର ପୂର୍ବଭଳି କାର୍ଯ୍ୟ କରିବାକୁ ପଞ୍ଚାୟତର ସମସ୍ତ ଲୋକପ୍ରତିନିଧି ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ରଙ୍କ ନିକଟରେ ପହଞ୍ଚି ଦାବି କରିଛନ୍ତି। ଏନେଇ ଏକ ଲିଖିତ ଅଭିଯୋଗ ପଞ୍ଚାୟତର ଲୋକ ପ୍ରତିନିଧିମାନେ ବିଡିଓଙ୍କୁ ଦେଇଛନ୍ତି। ସେମାନେ ବିଡିଓଙ୍କୁ କହିଛନ୍ତି ଯେ, ଦାରିଙ୍ଗବାଡ଼ି ଏକ ପର୍ଯ୍ୟଟନକ୍ଷେତ୍ର। ଏଠି ପଞ୍ଚାୟତରେ ବିଭିନ୍ନ ସମୟରେ ଅନେକ ପ୍ରକଳ୍ପ ଆରମ୍ଭ କରାଯାଇଥିବା ବେଳେ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ରହିଛି। ସେହିପରି ଆବାସ ଯୋଜନାରେ ଲୋକଙ୍କୁ ଗୃହ ଯୋଗାଇ ଦିଆଯାଇଥିବା ବେଳେ ସେଗୁଡ଼ିକର ବିଲ୍‌ ସଠିକ ଭାବେ ପୈଠ କରାଯାଇପାରୁନି। ପିଇଓ ଏବଂ ଜିଆର୍‌ଏସ୍‌ ଦୁହେଁ ପଞ୍ଚାୟତରେ ସଠିକ୍‌ ଭାବେ ତାଙ୍କ ଦାୟିତ୍ୱ ତୁଲାଉଥିବା ବେଳେ ଜାଣିଶୁଣି ତାଙ୍କୁ ବଦଳି କରାଯାଇଥିବା ଓ ଏଥିରେ ରାଜନୈତିକ ହାତ ଥିବା ପଞ୍ଚାୟତ ଲୋକ ପ୍ରତିନିଧିମାନେ ଅଭିଯୋଗ କରିଛନ୍ତି। ଶୀଘ୍ର ଏହି ସମସ୍ୟାର ସମାଧାନ କରା ନ ଗଲେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।