ଜବରଦଖଲରେ କେନାଲ ଜାଗା,ଚାଷରୁ ମୁହଁ ଫେରାଇଲେଣି ଚାଷୀ

ନିରାକାରପୁର,୨୪ା୫(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ଚାଷୀଙ୍କ ସୁବିଧା ପାଇଁ ୧୯୮୧ ଡିସେମ୍ବର ୨୧ରେ ରାମେଶ୍ୱରଗଡ଼ଠାରେ ଏକ ବ୍ୟାରେଜ ନିର୍ମାଣ କରାଯାଇ ନଦୀଠାରୁ ଦୂରରେ ଥିବା ଚାଷୀ କିଭଳି ଠିକ୍‌ ଭାବରେ ପାଣି ପାଇପାରିବେ ସେଥିପାଇଁ କେନାଲ ନିର୍ମାଣ କରାଯାଇଛି। କିନ୍ତୁ ଏହାର ଦାୟିତ୍ୱରେ ଥିବା ଅଧିକାରୀଙ୍କମାନଙ୍କ ଦାୟିତ୍ୱହୀନତା ଯୋଗୁ ଏବେ କିଛି ଅସାଧୁ ବ୍ୟକ୍ତି ଏହି କେନାଲ ବନ୍ଧ ଉପରେ ଜୋର ଜବରଦସ୍ତ ବାସଗୃହ, ଦୋକାନ ଘର ଏବଂ ପାଇଖାନା ନିର୍ମାଣ କରିଛନ୍ତି। ଯାହାଫଳରେ ଚାଷୀଟି ତା’ର ନିତ୍ୟ ବ୍ୟବହାର୍ଯ୍ୟ ଚାଷ ସାମଗ୍ରୀ ନେବା ପାଇଁ କଷ୍ଟ ହେଉଛି। ଯଦି କୈାଣସି ଚାଷୀ ଏହାକୁ ବିରୋଧ କରୁଛନ୍ତି, ତେବେ ଭଡ଼ାଟିଆ ଗୁଣ୍ଡା ଏବଂ କୁଜି ନେତାଙ୍କର ରୋଷର ଶିକାର ହେବାକୁ ପଡୁଛି। ଏ ଭୟରେ କେହି ମୁହଁ ଖୋଲିବାକୁ ସାହସ କରୁନାହାନ୍ତି। ଏପରିକି ଗୋଟିଏ ବିଲରୁ ଅନ୍ୟ ବିଲକୁ ପାଣି ଯିବା ପାଇଁ ଅଣ୍ଡର୍‌ ପାସ୍‌ କେନାଲ ବିଭାଗୀୟ ପକ୍ଷରୁ କରାଯାଇଛି। ହେଲେ କିଛି ମୁଷ୍ଟିମେୟଙ୍କ ଯୋଗୁ ସେଗୁଡିକୁ ପୋତା ଯାଇ ଦୋକାନ ଘର ଓ ବାସଗୃହ ନିର୍ମାଣ କରାଯାଉଛି। ଯାହା ଫଳରେ ପାଣି ଆରପଟ ବିଲକୁ ଯାଇ ନ ପାରିବାରୁ ଚାଷୀ ହଇରାଣ ହେଉଛନ୍ତି। ଏନେଇ ଅସନ୍ତୋଷ ବୃଦ୍ଧି ପାଉଛି। ବିଶେଷକରି ସେମାନେ ବ୍ୟବହାର କରୁଥିବା ଅପରିଷ୍କାର ଏବଂ ଲାଟିନ ପାଣି କେନାଲକୁ ଖୁଲମଖୋଲା ଛାଡୁଛନ୍ତି। ଏନେଇ ଏହାର ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ରାୟଙ୍କୁ ପଚାରିବାରୁ ଏ ବାବଦରେ ତହସିଲଦାରଙ୍କୁ ଦୁଇଦୁଇ ଥର ଚିଠି ଲେଖିଲୁଣି କିନ୍ତୁ ସେ ଶୁଣୁନାହାନ୍ତି। ଏବେ ଉପର ଅଧିକାରୀଙ୍କୁ ଜଣାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।