‘ମଙ୍ଗଳ’ରେ ବର୍ଷେ ବିତାଇବେ କାନାଡା ବୈଜ୍ଞାନିକ

ଓ୍ବାଶିଂଟନ, ୨୮।୩:  ମଙ୍ଗଳ ଗ୍ରହ ଭଳି ପରିବେଶରେ ଗୋଟିଏ ବର୍ଷ ବିତାଇବାକୁ ଯାଉଛନ୍ତି କାନାଡ଼ାର ମହିଳା ଜୀବବିଜ୍ଞାନୀ କେଲି ହଷ୍ଟନ୍‌। ଏଥିପାଇଁ ସେ ପ୍ରସ୍ତୁତି ଚଳାଇଛନ୍ତି। ତେବେ ମଙ୍ଗଳରେ ରହିବା ତାଙ୍କର ପିଲାଦିନର ସ୍ବପ୍ନ ନ ଥିଲା ବୋଲି ୫୨ ବର୍ଷୀୟ ବୈଜ୍ଞାନିକ କହିଛନ୍ତି। ଟେକ୍ସାସ୍‌ର ହ୍ୟୁଷ୍ଟନ୍‌ରେ ମଙ୍ଗଳ ଗ୍ରହ ପରିବେଶ ସଦୃଶ ବାସସ୍ଥାନ ପ୍ରସ୍ତୁତ କରାଯାଇଛି। ଜୁନ୍‌ ଶେଷ ଭାଗରେ କେଲିଙ୍କ ସହ ୪ ଜଣ ସ୍ବେଚ୍ଛାସେବୀ ସେଠାରେ ପ୍ରବେଶ କରିବେ। ପରବର୍ତ୍ତୀ ୧୨ ମାସ ସେମାନେ ଉକ୍ତ ସ୍ଥାନରେ ବିତାଇବେ। ଏହା ତାଙ୍କ ପାଇଁ ଏବେ ବି ଅବାସ୍ତବ ଭଳି ଲାଗୁଥିବା କେଲି କହିଛନ୍ତି।
ନାସା ଏହାର ଭବିଷ୍ୟତର ବାସ୍ତବ ମଙ୍ଗଳ ମିଶନ ପୂର୍ବରୁ ସେଠାରେ ରହିବା ଲାଗି ଦୀର୍ଘମିଆଦୀ ଅଭିଜ୍ଞତା ଜାଣିବା ପାଇଁ ଚାହୁଁଛି। ସେଥିପାଇଁ ଅତ୍ୟନ୍ତ ସତର୍କତାର ସହ ୪ ଜଣ ଅଂଶଗ୍ରହଣକାରୀଙ୍କୁ ଚୟନ କରାଯାଇଛି। କୃତ୍ରିମ ମଙ୍ଗଳ ବାସସ୍ଥଳୀରେ ସେମାନଙ୍କୁ ଉପକରଣ ବିଫଳତା ଓ ସୀମିତ ଜଳ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ନାସା ସତର୍କ କରିଦେଇଛି। ବାହାର ଦୁନିଆ ସହ ସେମାନଙ୍କ ଯୋଗାଯୋଗ ପାଇଁ ଓ୍ବାନ୍‌ ଓ୍ବେରେ ୨୦ ମିନିଟ୍‌ ଓ ଟୁ ଓ୍ବେରେ ୪୦ ମିନିଟ ବିଳମ୍ବ ହେବ। ଏଥିପାଇଁ ସେ ବହୁତ ଉତ୍ସାହୀ ଥିବାବେଳେ ମଙ୍ଗଳରେ କ’ଣ ସବୁ ଚ୍ୟାଲେଞ୍ଜ ରହିଛି, ସେ ତାହା ଅନୁଭବ କରିବାକୁ ଚାହାନ୍ତି ବୋଲି କେଲି କହିଛନ୍ତି। ମାର୍ସ ଡୁନ୍‌ ଆଲ୍‌ଫା ନାମରେ ଏହି ବାସସ୍ଥାନ ଏକ ୩ଡି ପ୍ରିଣ୍ଟେଡ୍‌ ୧,୭୦୦ ବର୍ଗଫୁଟ୍‌ର ବ୍ୟବସ୍ଥା, ଯେଉଁଥିରେ ଶୟନ କକ୍ଷ ସାଙ୍ଗକୁ ଜିମ୍‌, ସାଧାରଣ ସ୍ଥାନ ଓ ଖାଦ୍ୟ ଉତ୍ପାଦନ ପାଇଁ ଏକ ଫାର୍ମ ରହିଛି। ଏହା ବାହାରେ ଚାଲିବା ପାଇଁ ବ୍ୟବସ୍ଥା ରହିଛି, ଯେଉଁଠି ସ୍ପେସ୍‌ ଓ୍ବାକ୍‌ ବା ମଙ୍ଗଳ ପୃଷ୍ଠରେ ଚାଲିବା ଭଳି ଲାଗିବ ବୋଲି କେଲି ସୂଚନା ଦେଇଛନ୍ତି।

Share