କାନାଡା ସଂସଦରେ କନ୍ନଡରେ ଭାଷଣ ଦେଲେ ଏମ୍‌ପି

ଓଟଓ୍ବା,୨୦।୫: କର୍ନାଟକରେ ଜନ୍ମିତ କାନାଡାର ଏମ୍‌ପି ଚନ୍ଦ୍ର ଆର୍ଯ୍ୟ ସେଠାକାର ସଂସଦରେ କନ୍ନଡରେ ଭାଷଣ ଦେଇଛନ୍ତି। ସେ ଏହି ଭାଷଣର ଭିଡିଓ ନିଜ ଟୁଇଟରରେ ପୋଷ୍ଟ କରିଛନ୍ତି। ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଚନ୍ଦ୍ର ଆର୍ଯ୍ୟ ଟୁଇଟ୍‌ କରି ଲେଖିଛନ୍ତି, ମୁଁ କାନାଡାର ସଂସଦରେ ମୋର ମାତୃଭାଷା କନ୍ନଡରେ କହିଥିଲି। ଏହି ସୁନ୍ଦର ଭାଷାର ଏକ ଦୀର୍ଘ ଇତିହାସ ଅଛି ଏବଂ ପ୍ରାୟ ୫୦ ନିୟୁତ ଲୋକ ଏହା କୁହନ୍ତି। ଭାରତ ବାହାରେ ଯେକୌଣସି ସଂସଦରେ ଏହା ପ୍ରଥମ କନ୍ନଡ ଭାଷଣ ବୋଲି ସେ କହିଛନ୍ତି। ଚନ୍ଦ୍ର ଆର୍ଯ୍ୟ ତାଙ୍କ ଭାଷଣକୁ ଡକ୍ଟର ରାଜକୁମାରଙ୍କ ଏକ କବିତା ଗାଇ ଶେଷ କରିଥିଲେ। ସେ ଏହି ଭିଡିଓ ଟୁଇଟ କରିବା ପରେ ତାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି।
ସୂଚନାଯୋଗ୍ୟ, ଚନ୍ଦ୍ର ଆର୍ଯ୍ୟ ପ୍ରଥମେ ୨୦୧୫ରେ କାନାଡା ସଂସଦକୁ ନିର୍ବାଚିତ ହୋଇଥିଲେ। ସେ ପୁନର୍ବାର ୨୦୧୯ରେ ଦ୍ୱିତୀୟ ଥର ପାଇଁ ପ୍ରତିନିଧିତ୍ୱ କରିଥିଲେ। ଚନ୍ଦ୍ର ଆର୍ଯ୍ୟ କର୍ନାଟକରେ ଜନ୍ମଗ୍ରହଣ କରିଥିଲେ। ସେ ବେଙ୍ଗାଲୁରୁ ୟୁନିଭରସିଟିରୁ ଇଞ୍ଜିନିୟରିଂ ପଢି କର୍ନାଟକ ବିଶ୍ୱବିଦ୍ୟାଳୟରୁ ଏମବିଏ କରିଥିଲେ।

 

Share