କାନାଡ଼ା ସ୍ବାମୀ ନାରାୟଣ ମନ୍ଦିରରେ ଭଙ୍ଗାରୁଜା…

ଟରୋଣ୍ଟୋ,୧୫।୯ : କାନାଡ଼ାର ଟରୋଣ୍ଟୋରେ ଥିବା ସ୍ବାମୀନାରାୟଣ ମନ୍ଦିରରେ ଭଙ୍ଗାରୁଜା କରାଯାଇଛି। ମନ୍ଦିର କାନ୍ଥରେ ଭାରତ ବିରୋଧୀ ସ୍ଲୋଗାନ ମଧ୍ୟ ଲେଖାଯାଇଛି। ଏହି ଘଟଣା ପରଠାରୁ ସେଠାରେ ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ଏବଂ ସରକାରଙ୍କ ତରଫରୁ କଡା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। କାନାଡାର ଭାରତୀୟ ଉଚ୍ଚ ଆୟୋଗ ସ୍ବାମୀନାରାୟଣ ମନ୍ଦିରର ଭଙ୍ଗାରୁଜାକୁ ନିନ୍ଦା କରିବା ସହ ଘଟଣାର ତଦନ୍ତ କରିବାକୁ କାନାଡା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ଭାରତୀୟ ମୂଳ କାନାଡିୟ ସାଂସଦ ଚନ୍ଦ୍ର ଆର୍ଯ୍ୟ କହିଛନ୍ତି ଯେ ଏହା ପୂର୍ବରୁ ଅନ୍ୟ ମନ୍ଦିରଗୁଡିକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଇଛି।

ମନ୍ଦିରର ଭଙ୍ଗାରୁଜା ହେବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେହିପରି ମନ୍ଦିର କାନ୍ଥରେ ଖାଲିସ୍ତାନୀ ସ୍ଲୋଗାନ ଦେଖିବାକୁ ମିଳୁଛି। ଏହି ଘଟଣାରେ ଦୁଃଖ ପ୍ରକାଶ କରି ବ୍ରମ୍ପଟନ ସାଉଥ ସାଂସଦ ସୋନିଆ ସିଦ୍ଧୁ ଟୁଇଟ କରି କହିଛନ୍ତି ଯେ ଆମେ ଏକ ବହୁ ସଂସ୍କୃତି ଏବଂ ବହୁ-ଧାର୍ମିକ ସମ୍ପ୍ରଦାୟରେ ବାସ କରୁଛୁ ଯେଉଁଠାରେ ସମସ୍ତେ ନିଜକୁ ସୁରକ୍ଷିତ ଅନୁଭବ କରିବା ଉଚିତ। ଏଭଳି କରିଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏଭଳି ଆକ୍ରମଣରେ ବ୍ରମ୍ପଟନ ମେୟର ପାଟ୍ରିକ ବ୍ରାଉନ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ କାନାଡାରେ ଏହି ପ୍ରକାର ଘୃଣାର ସ୍ଥାନ ନାହିଁ। ଅପରାଧୀମାନେ ଶୀଘ୍ର ଏହାର ଦଣ୍ଡ ପାଇବେ।

Share