ପ୍ରମାଣ ଦେବାରେ ବିଫଳ କାନାଡା

ନୂଆଦିଲ୍ଲୀ/ଅଟାଓ୍ବା,୨୨।୯: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟାରେ ଭାରତ ସମ୍ପୃକ୍ତ ବୋଲି କାନାଡା ଅଭିଯୋଗ କରିଛି। ତେବେ କାନାଡା ଏହି ମାମଲାରେ ଆବଶ୍ୟକ ପ୍ରମାଣ ଯୋଗାଇବାରେ ବିଫଳ ହୋଇଛି। ଏସବୁ ମଧ୍ୟରେ କାନାଡାର କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, କାନାଡା କିଛି ଭାରତୀୟ ଅଧିକାରୀଙ୍କ ବାର୍ତ୍ତାଳାପକୁ ବାଧା ଦେଇଛି ଏବଂ ସେହି ଆଧାରରେ ସେମାନେ ଭାରତ ବିରୋଧରେ ଅଭିଯୋଗ ଆଣିଛନ୍ତି। ପଶ୍ଚିମ ଦେଶ ମଧ୍ୟ ଏହି ମନିଟରିଂ କାର୍ଯ୍ୟରେ କାନାଡାକୁ ସାହାଯ୍ୟ କରିଛି।
ଚଳିତ ବର୍ଷ ଜୁନ ମାସରେ କାନାଡାର ଜଣେ ଖଲିସ୍ତାନୀ ନେତା ହରଦୀପ ସିଂ ନିଜାରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। କାନାଡାର ସରେର ଗୁରୁ ନାନକ ଶିଖ ଗୁରୁଦ୍ୱାର ନିକଟରେ ନିଜାରଙ୍କୁ ଦୁଇଜଣ ଅଜ୍ଞାତ ଆକ୍ରମଣକାରୀ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଥିଲା। ନିଜାରଙ୍କ ହତ୍ୟା ପଛରେ ଭାରତ ସରକାର ଷଡଯନ୍ତ୍ର କରିଥାଇ ପାରନ୍ତି ବୋଲି କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ କରିଛନ୍ତି। ଟ୍ରୁଡୋ ଭାରତ ବିରୋଧରେ ଗୁରୁତର ଅଭିଯୋଗ କରିବା ପରେ ଉଭୟ ଦେଶର ମଧ୍ୟରେ ତିକ୍ତତା ବଢିଛି। ତେବେ ଟ୍ରୁଡୋଙ୍କ ଅଭିଯୋଗକୁ ଭାରତ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି। କାନାଡାର ଏହି ଅଭିଯୋଗ ପରେ ଭାରତ ମଧ୍ୟ କାନାଡାର ବରିଷ୍ଠ କୂଟନୀତିଜ୍ଞଙ୍କୁ ୫ ଦିନ ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛି।

Share