ବଲାଙ୍ଗୀର, ୨୪/୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନରୁ ୧୦ କେଜି ଗଞ୍ଜେଇ ରେଲୱେ ସୁରକ୍ଷା ବଳ (ଆରପିଏଫ) ଜବତ କରିଛି। ଏହି ଘଟଣାରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି।ଗିରଫ ଯୁବକ ଜଣକ ଫୁଲବାଣୀ ଗୋଛାପଡ଼ା ଗ୍ରାମର ଶ୍ୱେତ କହଁର (୧୯) ।
ସୂଚନା ଅନୁସାରେ, ଯୁବକ ଜଣକ ଏକ ଏୟାର ବ୍ୟାଗରେ ଗଞ୍ଜେଇ ନେଇ ଫୁଲବାଣୀରୁ ବଲାଙ୍ଗୀର ରେଲୱେ ଷ୍ଟେଶନରେ ପହଞ୍ଚିଥିଲେ। ଷ୍ଟେଶନରେ ଗଞ୍ଜେଇ ଭର୍ତ୍ତି ବ୍ୟାଗଟି କାହାକୁ ଦେବା ପାଇଁ ସେ ଅପେକ୍ଷା କରିଥିବା ସମୟରେ ଆରପିଏଫ ପୋଲିସ ଷ୍ଟେସନରେ ପାଟ୍ରୋଲିଂ କରୁଥିବା ବେଳେ ବ୍ୟାଗ ଧରି ଛିଡ଼ା ହୋଇଥିବା ଯୁବକଙ୍କୁ ସନ୍ଦେହ କରି ଅଟକାଇଥିଲେ। ପରେ ତାଙ୍କୁ ପଚରାଉଚରା କରିବା ସହ ବ୍ୟାଗରେ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ଏୟାର ବ୍ୟାଗ ଭିତରୁ ଦୁଇଟି ପ୍ୟାକେଟରେ ରଖାଯାଇଥିବା ଗଞ୍ଜେଇ ମିଳିଥିଲା।
ପରେ ଓଜନ କରାଯିବାରୁ ଜବତ ଗଞ୍ଜେଇର ପରିମାଣ ପ୍ରାୟ ୧୦ କିଲୋଗ୍ରାମ ଥିବା ଆରପିଏଫ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜେଇ ସହ ଅଭିଯୁକ୍ତ ଶ୍ୱେତ କହଁରଙ୍କୁ ଆରପିଏଫ ପୋଲିସ ଗିରଫ କରିଛି। ଘଟଣାରେ ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ କାହାକୁ ଦେବା ପାଇଁ ଅଣାଯାଇଥିଲା, ସେନେଇ ତଦନ୍ତ ଜାରି ରହିଛି।
Dharitri – Odisha’s No.1 Odia Daily