Categories: ଖେଳ

କୋହଲିଙ୍କ ସହ ମତଭେଦ ପରେ କୁମ୍ବଲେ ଦେଇଥିଲେ ଇସ୍ତଫା, ଏବେ ପୁଣି ମୁଖ୍ୟ କୋଚ୍‌ ପଦକୁ ନେଇ…

ନୂଆଦିଲ୍ଲୀ,୧୮।୯: ଆସନ୍ତା ଅକ୍ଟୋବର-ନଭେମ୍ବରରେ ଟି୨୦ ବିଶ୍ୱକପ୍‌ର ଆୟୋଜନ ହେବାକୁ ଯାଉଛି। ଏହାପରେ ଭାରତୀୟ କ୍ରିକେଟ ଟିମ୍‌ର କୋଚିଂ ଷ୍ଟାଫ୍‌ରେ ପରିବର୍ତ୍ତନ ହେବ। ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ ସମେତ ବୋଲିଂ, ବ୍ୟାଟିଂ ଏବଂ ଫିଲ୍ଡିଂ କୋଚ୍‌ଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଏଣୁ ଏହି ପଦରେ ନୂତନ ନିଯୁକ୍ତି ପାଇଁ ପୂର୍ବ କ୍ରିକେଟରଙ୍କ ନାମ ଚର୍ଚ୍ଚାରେ ରହିଛି।ଶାସ୍ତ୍ରୀଙ୍କ ସ୍ଥାନରେ ମୁଖ୍ୟ କୋଚ୍‌ ନିମନ୍ତେ ଭାରତର ଦୁଇ ଅଭିଜ୍ଞ କ୍ରିକେଟର ଅନିଲ କୁମ୍ବଲେ ଏବଂ ଭିଭିଏସ୍‌ ଲକ୍ଷ୍ମଣଙ୍କ ନାମ ଚର୍ଚ୍ଚା ହେଉଛି। ବିସିସିଆଇ ଉଭୟଙ୍କୁ ସମ୍ପର୍କ କରିପାରେ ବୋଲି କୁହାଯାଉଛି।

କୁମ୍ବଲେ ବର୍ଷେ ଯାଏ ଭାରତୀୟ ଟିମ୍‌ର ମୁଖ୍ୟ କୋଚ୍‌ ଥିଲେ। ସେ ୨୦୧୬-୧୭ ଯାଏ ଦାୟିତ୍ୱ ତୁଲାଇଥିଲେ। ସେହି ସମୟରେ ତାଙ୍କୁ ଶାସ୍ତ୍ରୀଙ୍କ ସ୍ଥାନରେ ନିଯୁକ୍ତ କରାଯାଇଥିଲା। ହେଲେ ବିରାଟ କୋହଲିଙ୍କ ସହ କଟୁ ମତଭେଦ କାରଣରୁ କୁମ୍ବଲେଙ୍କୁ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନଠାରୁ ହାରିବା ପରେ ନିଜର ଇସ୍ତଫା ଦେଇଥିଲେ। ତେବେ କୁମ୍ବଲେଙ୍କ କାର୍ଯ୍ୟକାଳ ସମୟରେ ଭାରତୀୟ ଟେଷ୍ଟ ଟିମ୍‌ ବେଶ ମଜଭୂତ ହୋଇଥିଲା। ସେ କୋଚ୍‌ ଥିବା ସମୟରେ ଭାରତ ୧୭ଟି ମ୍ୟାଚ୍‌ ଖେଳିଥିବା ବେଳେ ଗୋଟିଏ ମ୍ୟାଚ୍‌ ହାରିଥିଲା।

ଯେତେବେଳେ କୁମ୍ବଲେଙ୍କୁ ହଟାଇ ଶାସ୍ତ୍ରୀଙ୍କୁ ନିଯୁକ୍ତ କରାଯାଇଥିଲା, ସେତେବେଳେ ଘଟଣା ବେଶ ଚର୍ଚ୍ଚାରେ ରହିଥିଲା। କାରଣ ବିରାଟଙ୍କ ଚାପରେ ଆସି ସିଓଏ କୁମ୍ବଲେଙ୍କୁ ବାହାର କରିବାକୁ ନିଷ୍ପତ୍ତି ନେଇଥିଲା। ଏବେ ସେ ପୁନର୍ବାର କୋଚ୍‌ ପଦ ପାଇଁ ଆବେଦନ କରିବେ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି। ସେ ଏକଦା କହିଥିଲେ କୋଚ୍‌ ଭାବେ ତାଙ୍କ କାର୍ଯ୍ୟକାଳ ସମାପ୍ତ ଭଲଭାବେ ହୋଇପାରିଥାନ୍ତା। ହେଲେ ତାହା ହେଲା ନାହିଁ।

Share