ଆଜି ସରିବ ପିପିଲି ଉପନିର୍ବାଚନ ପାଇଁ ପ୍ରଚାର

ଭୁବନେଶ୍ୱର,୨୭ା୯(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ଆଜି ଅର୍ଥାତ୍‌ ସୋମବାର ସରୁଛି ପ୍ରଚାର। ଭୋଟରଙ୍କ ମନ ଜିଣିବାକୁ ଆଜି ପ୍ରାର୍ଥୀମାନେ ଆପ୍ରାଣ ଉଦ୍ୟମ କରିବେ। ଏହି ନିର୍ବାଚନ ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ମଧ୍ୟରେ ଜୋରଦାର୍‌ ଲଢ଼େଇ ହେବ।

ସୂଚନାଯୋଗ୍ୟ, ଆସନ୍ତା ୩୦ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ। ସକାଳ ୭ଟାରୁ ଆରମ୍ଭ ହେବ ଭୋଟ ଗ୍ରହଣ । ସକାଳ ସାଢ଼େ ୫ଟାରୁ ଆରମ୍ଭ ହେବ ମକପୋଲ। ଏହି ଉପନିର୍ବାଚନ ପାଇଁ ୩୪୮ ବୁଥ୍‌ ବ୍ୟବସ୍ଥା କରାଯାଇଛି। ୨ଲକ୍ଷ ୨୯ହଜାର ୯୯୮ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବାକୁ ଥିବା ବେଳେ ୧୦ ଜଣ ପ୍ରାର୍ଥୀ ସେମାନଙ୍କର ଭାଗ୍ୟ ପରୀକ୍ଷା କରାଇବେ। ଅକ୍ଟୋବର ୩ ତାରିଖରେ ଭୋଟ ଗଣତି ହେବ।