ପଡିଆରେ ରକ୍ତାକ୍ତ ହେଲେ ଏହି ଖେଳାଳି, ମ୍ୟାଚ୍‌ରୁ ପଡିଲେ ବାଦ୍‌

ନୂଆଦିଲ୍ଲୀ, ୧୮।୧୧: ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ୍‌ରେ ଘଟିଛି ଅଘଟଣ । ଇଂଲଣ୍ଡର ଦ୍ରୁତ ବୋଲର ଗସ୍‌ ଆଟକିନସନ୍‌ଙ୍କ ଏକ ଭୟଙ୍କର ବାଉନ୍ସରରେ ଆହତ ହୋଇଛନ୍ତି ଅଷ୍ଟ୍ରେଲିଆର ପେସ୍‌ ବୋଲିଂ ଅଲ୍‌ରାଉଣ୍ଡର କ୍ୟାମେରନ୍‌ ଗ୍ରୀନ୍‌। ବଲ୍‌ଟି ତାଙ୍କ ହେଲମେଟ୍‌ର ଗ୍ରିଲ୍‌ରେ ବାଜିବା ପରେ ଗ୍ରିଲ୍‌ ଭାଙ୍ଗି ତାଙ୍କ ଓଠରେ ଆଘାତ ଲାଗିଥିଲା। ଫଳରେ ଓଠ ଚାରିପାଖରୁ ରକ୍ତ ବାହାରିଥିଲା।

ବଲ୍‌ ବାଜିବା ପରେ ଗ୍ରୀନ୍‌ ପଡ଼ିଆରେ ତଳେ ପଡ଼ିଯାଇଥିଲେ। ପରେ ଉଠି ନିଜ ରକ୍ତାକ୍ତ ଓଠ ଦେଖିଥିଲେ। ଏହି ଘଟଣାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଆହତ ହେବା ପରେ ତାଙ୍କୁ ପଡ଼ିଆ ବାହାରକୁ ନିଆଯାଇଥିଲା ଏବଂ ସେ ମ୍ୟାଚ୍‌ରୁ ମଧ୍ୟ ବାଦ୍‌ ପଡ଼ିଥିଲେ। ମୁଣ୍ଡ, ମୁହଁ କିମ୍ବା ବେକରେ ବଲ୍‌ ବାଜିବା ପରେ ଖେଳାଳିଙ୍କ ସୁରକ୍ଷା ପାଇଁ ICCର କନକସନ୍‌ ସବ୍‌ଷ୍ଟିଚ୍ୟୁଟ୍‌ ନିୟମ ରହିଛି । ଏହି ନିୟମ ଅନୁସାରେ ଆହତ ଖେଳାଳିଙ୍କ ବଦଳରେ ସମାନ ଭୂମିକାର ଅନ୍ୟ ଜଣେ ଖେଳାଳି ଖେଳିପାରିବେ । ଗ୍ରୀନ୍‌ଙ୍କ ବଦଳରେ ଅଲ୍‌ରାଉଣ୍ଡର ଓଲି ପିକ୍‌ଙ୍କୁ କନକସନ୍‌ ସବ୍‌ଷ୍ଟିଚ୍ୟୁଟ୍‌ ଭାବେ ଖେଳିବାକୁ ସୁଯୋଗ ମିଳିଥିଲା।

ଅଷ୍ଟ୍ରେଲିଆର ଇନିଂସ୍‌ର ୨୭ତମ ଓଭରର ଶେଷ ବଲ୍‌ରେ ଏହି ଘଟଣା ଘଟିଥିଲା। ସେତେବେଳେ ଗ୍ରୀନ୍‌ ୧୧ଟି ବଲ୍‌ ଖେଳି ୩ ରନ୍‌ କରିଥିଲେ। ବାଉନ୍ସର୍‌ ବାଜିବା ପରେ ତାଙ୍କୁ ପ୍ରଥମେ ପଡ଼ିଆ ବାହାରକୁ ନିଆଯାଇଥିଲା। ପରେ ସେ ଆଉ ମ୍ୟାଚ୍‌କୁ ଫେରିପାରି ନଥିଲେ। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୪୮.୩ ଓଭରରେ ୩୨୮ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା। ଦଳ ପକ୍ଷରୁ ବେନ୍‌ ଡକେଟ୍‌ ୧୧୫ ବଲ୍‌ରୁ ୧୩୩ ରନ୍‌ର ଦମ୍‌ଦାର ଇନିଂସ୍‌ ଖେଳିଥିଲେ। ଏଥିରେ ୧୫ଟି ଚୌକା ଓ ୩ଟି ଛକା ସାମିଲ ଥିଲା। ସେହିପରି ୱିଲ୍‌ ଜ୍ୟାକ୍ସ ୪୮ ବଲ୍‌ରୁ ୫୯ ରନ୍‌ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଜ୍ୟାକ୍‌ ଏଡୱାର୍ଡସ୍‌ ସର୍ବାଧିକ ୪ଟି ୱିକେଟ୍‌ ନେଇଥିଲେ।

୩୨୯ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ୪୬.୫ ଓଭରରେ ମାତ୍ର ୨୩୧ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା। ଦଳ ପକ୍ଷରୁ ମ୍ୟାଟ୍‌ ରେନ୍‌ଶ ୫୫ ରନ୍‌ କରିଥିଲେ। ଇଂଲଣ୍ଡ ପକ୍ଷରୁ ସୋନି ବେକର୍‌ ୪ଟି ଏବଂ ଲିଆମ୍‌ ଡସନ୍‌ ୩ଟି ୱିକେଟ୍‌ ନେଇଥିଲେ । ଫଳରେ ଇଂଲଣ୍ଡ ଏହି ମ୍ୟାଚ୍‌କୁ ୯୭ ରନ୍‌ରେ ଜିତି ନେଇଥିଲା।

 

Dharitri – Odisha’s No.1 Odia Daily

Share