Categories: ଖେଳ

ପୁଣି ଖେଳାଳିଙ୍କ ମୁଣ୍ଡରେ ବାଜିଲା ବଲ୍‌

ସିଡ୍‌ନୀ,୧୧।୧୨- ଚଳିତ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା କ୍ରିକେଟ ସିରିଜ୍‌ରେ ଖେଳାଳିଙ୍କ ମୁଣ୍ଡରେ ବଲ ବାଜିବା ଘଟଣା ପୁଣି ଥରେ ସାମ୍ନାକୁ ଆସିଛି। ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଶୁକ୍ରବାରଠାରୁ ଭାରତ ବିପକ୍ଷରେ ଆରମ୍ଭ ହୋଇଥିବା ଅଭ୍ୟାସ ମ୍ୟାଚ୍‌ର ପ୍ରଥମ ଦିନ ବଲ ବାଜିବାରୁ ମୁଣ୍ଡରେ ଆଘାତ ପାଇଛନ୍ତି ଅଷ୍ଟ୍ରେଲିଆ ଏ’ ଅଲରାଉଣ୍ଡର କାମେରୋନ ଗ୍ରୀନ। ଭାରତୀୟ ବ୍ୟାଟ୍ସମ୍ୟାନ ଯଶପ୍ରୀତ ବୁମରାଙ୍କ ଏକ ଷ୍ଟ୍ରେଟ ଡ୍ରାଇଭ ବୋଲର ଗ୍ରୀନଙ୍କ ମୁଣ୍ଡରେ ବାଜିଥିଲା। ତୁରନ୍ତ ତଳେ ବସି ପଡ଼ିଥିଲେ ଗ୍ରୀନ ଓ ଫିଲ୍ଡ ଅମ୍ପାୟର ମେଡିକାଲ ଷ୍ଟାଫଙ୍କୁ ଡକାଇଥିଲେ। ଫିଜିଓ ଓ ଡକ୍ଟର ଆଘାତର ପ୍ରଭାବ ଯାଞ୍ଚ କରିବା ପରେ ଗ୍ରୀନ ନିଜେ ଗ୍ରାଉଣ୍ଡରୁ ଚାଲିଯାଇଥିଲେ।

କନକ୍‌ସନ ପ୍ରୋଟୋକଲ ନିୟମ ଅନୁଯାୟୀ ତାଙ୍କ ସ୍ଥାନରେ ପାଟ୍ରିକ ରୋଙ୍କୁ ଦଳରେ ସାମିଲ କରାଯାଇଛି। ଅଷ୍ଟ୍ରେଲିଆ ଟିମ୍‌ ଡକ୍ଟର ପିପ ଇଙ୍ଗ କହିଛନ୍ତି, ଗ୍ରୀନ ପ୍ରଥମ ଥର ପାଇଁ ମୁଣ୍ଡରେ ଆଘାତ ପାଇଛନ୍ତି। ସେ ଦଳୀୟ ହୋଟେଲକୁ ଫେରି ଆସିଛନ୍ତି। ଅଭ୍ୟାସ ମ୍ୟାଚ୍‌ର ବଳକା ଦୁଇ ଦିନ ସେ ଖେଳିବେ ନାହିଁ। ତାଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ଆମେ ନଜର ରଖିଛୁ। ଉଲ୍ଲେଖଥାଉ କି, ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ ରବୀନ୍ଦ୍ର ଜାଡେଜାଙ୍କ ମୁଣ୍ଡରେ ବଲ ବାଜି ଥିଲା।

Share