ମାନସ ମୃତ୍ୟୁ ମାମଲା: ହାଡଡିକ୍ସରୁ ଫିଟିବ କି ଗୁମର

କଟକ ଅଫିସ,୯।୪: କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ନେଇ ଜେରା କରି ସେମାନଙ୍କଠାରୁ ତଥ୍ୟ ପ୍ରମାଣ ଯୋଗାଡ଼ କରିବା କାର୍ଯ୍ୟ ଶେଷ କରିଛି । ତେବେ ମାନସଙ୍କ ହତ୍ୟାର ମୁଖ୍ୟ କାରଣ କୁହାଯାଉଥିବା ରହସ୍ୟମୟ ଚିପ୍‌ ସନ୍ଧାନ ମିଳିପାରିନାହିଁ । ବର୍ତ୍ତମାନ ପରିସ୍ଥିତିରେ ସେ ଚିପ୍‌ ମିଳିବା ସହଜ ନୁହେଁ ବୋଲି କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜି ସଞ୍ଜୀବ ପଣ୍ଡା କହିଛନ୍ତି। ଚିପ୍‌ ନ ମିଳିଲେ ବି ଶର୍ମିଷ୍ଠାଙ୍କ ଅଫିସ୍‌ରୁ ଜବତ କମ୍ପ୍ୟୁଟର ହାର୍ଡ ଡ୍ରାଇଭରୁ ଅନେକ ତଥ୍ୟ ପ୍ରମାଣ ମିଳିବ, ଯାହା ବାକି ଥିବା ରହସ୍ୟ ଖୋଲିବ ବୋଲି ତଦନ୍ତକାରୀ ଅଫିସର ଆଶାବାଦୀ ଅଛନ୍ତି । କମ୍ପ୍ୟୁଟରରୁ ଭିଡିଓଗୁଡ଼ିକ ଡିଲିଟ ହୋଇଯାଇଥିଲେ ମଧ୍ୟ ରସୁଲଗଡ଼ ରାଜ୍ୟ ଫରେନ୍ସିକ ଲ୍ୟାବ୍‌ରେ ହେଉଥିବା ପରୀକ୍ଷାରେ ସେସବୁ ପୁଣି ମିଳିପାରିବ ବୋଲି ଏଡିଜି ସୂଚନା ଦେଇଛନ୍ତି। ଅପହରଣ ପୂର୍ବ ଏବଂ ପରବର୍ତ୍ତୀ ସମୟରେ ଅଭିଯୁକ୍ତଙ୍କ ମୋବାଇଲ କଲ ଡିଟେଲସ, ମେସେଜ, ଭିଡିଓ କଲ ଆଦିରେ ଅନେକ ପ୍ରମାଣ ଲୁଚି ରହିଛି ବୋଲି ଏଡିଜି ପଣ୍ଡା କହିଛନ୍ତି। ଅଭିଯୁକ୍ତଙ୍କୁ ଜେରା ପ୍ରକ୍ରିୟା ପରେ ଏବେ କ୍ରାଇମବ୍ରାଞ୍ଚ କିଛି ସାକ୍ଷୀଙ୍କୁ ଡକାଇ ଜେରା କରିବ।