ଦାରିଙ୍ଗବାଡି, ୧୮।୧୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ବୁଲିବାକୁ ଆସିଥିବା ଏକ ବୋଲେରୋ ଗାଡି ଇଞ୍ଜିନରେ ନିଆଁ ଲାଗିଯାଇଛି। ଖବରପାଇ ଦାରିଙ୍ଗବାଡି ଅଗ୍ନିଶମ ବିଭାଗର ଅଧିକାରୀ ଧବଳେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏଥି ସହ ଇକୋ ରିଟ୍ରିଟରେ ଥିବା ସ୍ବତନ୍ତ୍ର ଅଗ୍ନିଶମ ଦଳର ଜଣେ କର୍ମଚାରୀ କାହ୍ନୁ ପାତ୍ର ପହଞ୍ଚି ନିଆଁ ଲିଭାବାରେ ସାହାଯ୍ୟ କରିଥିଲେ। ପ୍ରକାଶ ଯେ, ଭଦ୍ରକ ଚାନ୍ଦବାଲି ଅଞ୍ଚଳରୁ ଏକ ୧୦ ଜଣିଆ ପର୍ଯ୍ୟଟକ ଦଳ ଦାରିଙ୍ଗବାଡି ବୁଲିବାକୁ ଆସିଥିଲେ। ସେମାନେ ସୋମବାରଠାରୁ ବାହାରି ନନ୍ ଷ୍ଟପ ଦାରିଙ୍ଗବାଡି ଆସିଥିଲେ। ତେବେ ୫୯ ନଂ ଜାତୀୟ ରାଜପଥର ଶ୍ରାନିକେତା ଗ୍ରାମ ଠାରୁ ମାତ୍ର ଗୋଟିଏ କିମି ଦୂର ଇକୋ ରିଟ୍ରିଟ ନିକଟ ଆମ୍ବଖାଲିଆ ଘାଟିରେ ଗାଡିଟି ଷ୍ଟାର୍ଟ ବନ୍ଦ ହୋଇ ନିଆଁ ହୁତୁ ହୁତୁ ହୋଇ ଜାଳିବା ଆରମ୍ଭ କରିଥିଲା। ଗାଡ଼ିରେ ବସିଥିବା ଚାଳକଙ୍କ ସମେତ ଅନ୍ୟ ୯ ଜଣ ପର୍ଯ୍ୟଟକ ଗାଡିରୁ ଯିଏ ଯେମିତି ପାରିଲା ଡେଇଁ ଓହ୍ଲାଇ ପଡ଼ିଥିଲେ ଏବଂ ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ। ଏହି ସମୟ ମଧ୍ୟରେ ଇକୋ ରିଟ୍ରିଟରେ ଥିବା ଅଗ୍ନିଶମ ବିଭାଗର କର୍ମଚାରୀ ପ୍ରଥମେ ପହଞ୍ଚି ନିଆଁକୁ ଆୟତ୍ତ କରୁଥିବା ବେଳେ ଦାରିଙ୍ଗବାଡି ଅଗ୍ନିଶମ ବିଭାଗର କର୍ମଚାରୀମାନେ ମଧ୍ୟ ପହଞ୍ଚି ଯାଇଥିଲେ ଓ ନିଆଁକୁ ଯଥାଶୀଘ୍ର ଆୟତ୍ତ କରି ଏକ ବଡ଼ ଦୁର୍ଘଟଣାରୁ ଉକ୍ତ ଗାଡିକୁ ସୁରକ୍ଷିତ ଭାବେ ନିଆଁ ଲିଭାଇଥିଲେ। ଗାଡି ଚାଳକ ଦୀପକ ନାଥ କହିଛନ୍ତି ଯେ ସେ କୌଣସି ସ୍ଥାନରେ ବୋଲେରୋକୁ ବିଶ୍ରାମ ଦିଆଯାଇନାହିଁ । ଚାନ୍ଦବାଲିରୁ ଆମେ ସିଧା ଦାରିଙ୍ଗବାଡି ଆସିବା ପରେ ଘାଟିରେ ଗାଡି ଷ୍ଟାର୍ଟ ବନ୍ଦ ହୋଇଯିବା ସହ ନିଆଁ ଲାଗିଥିଲା ।


