ମ୍ୟାନମାରରେ ସାମରିକ ଶାସନ ବିରୋଧରେ ବସନ୍ତ କ୍ରାନ୍ତି ଆହ୍ବାନ…

ନାପିଦ୍ୱ,୮।୧୧ : ପ୍ରକାଶ ଯେ, ମ୍ୟାନମାରରେ ସାମରିକ ଶାସନ ବିରୋଧରେ ସଶସ୍ତ୍ର ସଂଗ୍ରାମ କରୁଥିବା ଦଳ ବର୍ତ୍ତମାନ ଏକ ନିର୍ଣ୍ଣାୟକ ଲଢ଼େଇ କରିବାକୁ ଯୋଜନା କରୁଛନ୍ତି। ଦେଶରେ ବିରୋଧୀ ଦଳ ଜାତୀୟ ଏକତା ସରକାର (ଏନୟୁଜି) ନାମକ ଏକ ବିକଳ୍ପ ସରକାର ଗଠନ କରିଛନ୍ତି। ଅକ୍ଟୋବର ମଧ୍ୟଭାଗରେ ଏନୟୁଜି ଏକ ବିବୃତ୍ତି ଜାରି କରି ବସନ୍ତ କ୍ରାନ୍ତି ପାଇଁ ଏକ ନିର୍ଣ୍ଣାୟକ ଲଢ଼େଇ ଆହ୍ବାନ କରିଥିଲା। ବର୍ତ୍ତମାନ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ସୂଚାଇ ଦେଉଛି ଯେଏନୟୁଜି ଆସନ୍ତା ବସନ୍ତ ଅର୍ଥାତ ଆସନ୍ତା ବର୍ଷ ବର୍ଷା ଆରମ୍ଭ ହେବା ପୂର୍ବରୁ ଦେଶରୁ ସାମରିକ ଶାସନକୁ ହଟାଇବାକୁ ଚାହୁଁଛି।

୧ ଫେବୃଆରୀ ୨୦୨୧ ରେ ମ୍ୟାନମାରରେ ନିର୍ବାଚିତ ସରକାରଙ୍କୁ ସାମରିକ ବାହିନୀ କ୍ଷମତାଚ୍ୟୁତ କରିଥିଲା। ସେବେଠାରୁ ଅନେକ ସ୍ଥାନୀୟ ଗୋଷ୍ଠୀ ତାଙ୍କ ବିରୁଦ୍ଧରେ ଲଗାତାର ଲଢ଼େଇ କରି ଆସୁଛନ୍ତି। କେତେକ ଅଞ୍ଚଳରେ ବିଦ୍ରୋହୀ ଦଳ ଗରିଲା ଯୁଦ୍ଧ ଚଳାଉଛନ୍ତି। ସେଥିମଧ୍ୟରୁ କରେନ ନ୍ୟାଶନାଲ ଲିବରେଶନ ଆର୍ମି (କେଏନଏଲଏ) ଏବଂ ପିପୁଲ୍ସ ଡିଫେନ୍ସ ଫୋର୍ସ (ପିଡିଏଫ) ଆଦି ରହିଛି। ବିଭିନ୍ନ ଦଳ ଦ୍ୱାରା ପିଡିଏଫ ଗଠନ କରାଯାଇଛି।

ଜଣେ ବିଦେଶୀ ଗୁପ୍ତଚର ବିଶ୍ଳେଷଣକାରୀ ୱେବସାଇଟ ଏସିଆ ଟାଇମ୍ସକୁ କହିଛନ୍ତି ଏନୟୁଜିର ବିବୃତ୍ତି ଦର୍ଶାଉଛି ଯେ ଦେଶରୁ ସାମରିକ ାାସନ ହଟାଇବା ନେଇ ଏହା ବେଶ୍‌ ତତ୍ପର।

ଏହାର ଗୋଟିଏ ଚିନ୍ତା ହେଉଛି ହିଂସାତ୍ମକ ଏଢ଼େଇ ପାଇଁ ଜନସାଧାରଣଙ୍କ ସମର୍ଥନ ବଜାୟ ରଖିବା। ଗୃହଯୁଦ୍ଧ ବଢ଼ିବା ସହିତ ବିଦ୍ରୋହୀ ଗୋଷ୍ଠୀଙ୍କ ପାଇଁ ଜନସାଧାରଣଙ୍କ ସମର୍ଥନ ହ୍ରାସ ପାଇପାରେ ବୋଲି ଆଶଙ୍କା ରହିଛି। ଅନ୍ୟପକ୍ଷରେ ପାଶ୍ଚାତ୍ୟ ଦେଶମାନଙ୍କଠାରୁ ମିଳିଥିବା ସମର୍ଥନକୁ ନେଇ ଏନୟୁଜି ମଧ୍ୟ ଅସନ୍ତୁଷ୍ଟ। ଆଶା କରାଯାଉଥିବା ପରି ଏହା ପାଶ୍ଚାତ୍ୟ ଦେଶଗୁଡିକର ସମର୍ଥନ ପାଇ ନ ଥିଲା। ତେଣୁ ବର୍ତ୍ତମାନ ନିଜେ ଏକ ନିର୍ଣ୍ଣାୟକ ସଂଘର୍ଷ କରିବାକୁ ନିଷ୍ପତ୍ତି ନେଇଛି।

ଏନୟୁଜି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଏକ ବୈପ୍ଳବିକ ବିଜୟ ହାସଲ କରିବାର ଲକ୍ଷ୍ୟ ସ୍ଥିର କରିଛି। ଏହା ଆସନ୍ତା କିଛି ମାସ ମଧ୍ୟରେ ମ୍ୟାନମାରରେ ହିଂସାତ୍ମକ ମୁକାବିଲା ବୃଦ୍ଧିର ଆଶଙ୍କାକୁ ବଢ଼ାଇ ଦେଇଛି।

Share