ଘରୁ ଡାକି ନେଇ ହତ୍ୟା, ଠେଙ୍ଗାରେ ପିଟି ମାରିଦେଲେ

ଅନୁଗୋଳ,୧୭ା୯(ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଞ୍ଚଳରେ ୨ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କାଙ୍ଗୁଲା ଗ୍ରାମର ସଂଗ୍ରାମ ବେହେରା(୨୨)ଙ୍କୁ ଘରୁ ଡାକି ନେଇ କେହି ହତ୍ୟା କରିଥିବା ବେଳେ ଅଙ୍ଗାରବନ୍ଧ ଗାଁର ସୌମ୍ୟରଞ୍ଜନ ବେହେରାଙ୍କୁ ଠେଙ୍ଗାରେ ପିଟି ହତ୍ୟା କରାଯାଇଥିବା ଶନିବାର ଥାନାରେ ଅଭିଯୋଗ ହୋଇଛି। ଘଟଣାକୁ ନେଇ କାଙ୍ଗୁଲା ଗ୍ରାମରେ ସକାଳେ ଉତ୍ତେଜନା ଦେଖାଦେଇଥିଲା। ସ୍ଥାନୀୟ ଲୋକେ ଅନୁଗୋଳ-ମହୀଧରପୁର ରାସ୍ତାକୁ ୫ ଘଣ୍ଟା ଅବରୋଧ କରିଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ପ୍ରକାଶ ଯେ, ଛେଳିଆପଡା ଗାଁରେ ଏକ ଘର ନିର୍ମାଣ ହେଉଛି। ନିର୍ମାଣ କାଯର୍ର୍‌ୟ କରୁଥିବା ମିସ୍ତ୍ରି ଓ ଶ୍ରମିକମାନଙ୍କ ଖାଇବା କଥା ବୁଝିସାରି ସଂଗ୍ରାମ ଶୁକ୍ରବାର ରାତିରେ ଘରକୁ ଫେରିଥିଲେ। ଏହାପରେ ଗାଁର କେହି ଜଣେ ତାଙ୍କୁ ମଣ୍ଡପରେ ଶୋଇବାକୁ ଡାକିବାରୁ ସେ ଘରୁ ଚାଲିଯାଇଥିଲେ। ହେଲେ ଶନିବାର ତାଙ୍କ ମୃତଦେହ ଛେଳିଆପଡା ଛକ ନିକଟ ଏକ ବାଲିଗଦା ଉପରେ ପଡ଼ିଥିବା ଦେଖାଯାଇଥିଲା। ତାଙ୍କୁ କେହି ହତ୍ୟା କରି ବାଲିଗଦା ଉପରକୁ ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗରେ ଦର୍ଶାଇଛନ୍ତି। ମୃତଦେହରେ କ୍ଷତ ଚିହ୍ନ ଥିବା ପୋଲିସ ଦେଖିବା ସହ ତାହାକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ସନ୍ଧାନୀ କୁକୁର ସହାୟତାରେ ଘଟଣାସ୍ଥଳରେ ତଦନ୍ତ କରାଯାଇଛି। ଏ ନେଇ ଥାନାରେ ନଂ. ୩୪/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ଧୀରେନ ବେହେରା ପ୍ରକାଶ କରିଛନ୍ତି। ସେହିପରି ସାମାନ୍ୟ କଥାକୁ ନେଇ ଅଙ୍ଗାରବନ୍ଧର ସୌମ୍ୟ ରଞ୍ଜନଙ୍କୁ ଠେଙ୍ଗାରେ ପିଟି ହତ୍ୟା କରାଯାଇଛି। ଶୁକ୍ରବାର ରାତି ପ୍ରାୟ ୧୦ଟା ବେଳେ ସୌମ୍ୟରଞ୍ଜନ ଘର ନିକଟ ରାସ୍ତାରେ ବୁଲାବୁଲି କରୁଥିବା ବେଳେ ସୁଶାନ୍ତ ସାହୁଙ୍କ ସହ କୌଣସି କଥାକୁ ନେଇ ସାମାନ୍ୟ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସୁଶାନ୍ତ ଏକ ଠେଙ୍ଗାରେ ସୌମ୍ୟଙ୍କ ମୁଣ୍ଡକୁ ପିଟିଦେଇଥିଲେ। ଏହାପରେ ନିକଟରେ ଥିବା ପୋଖରୀକୁ ଠେଲି ଦେଇ ପଳାଇ ଯାଇଥିଲେ। ଗାଁର ୨ ଜଣ ଯୁବକ ସୌମ୍ୟରଞ୍ଜନଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ତାଙ୍କୁ ପ୍ରଥମେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ହୋଇଥିଲା। ପରିବାର ପକ୍ଷରୁ ଏ ନେଇ ଅଭିଯୋଗ କରାଯିବା ପରେ ପୋଲିସ ନଂ. ୫୦୪/୨୩ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ସଦର ଥାନା ଅଧିକାରୀ ବେହେରା କହିଛନ୍ତି।