ଭୁବନେଶ୍ୱର,୮ା୯(ସୁଚିସ୍ମିତା ସାହୁ): ଦେଶ ତଥା ରାଜ୍ୟର ଆର୍ଥିକ ପ୍ରଗତି ସହିତ ସାମାଜିକ ବିକାଶ ଏବଂ ବ୍ୟକ୍ତିଗତ ଉନ୍ନତି ପାଇଁ ଶିକ୍ଷା ଅତ୍ୟନ୍ତ ଜରୁରୀ। ଶିକ୍ଷା କେବଳ ଜଣେ ବ୍ୟକ୍ତିର ମୌଳିକ ଅଧିକାର ନୁହେଁ, ସମାଜରୁ ଦାରିଦ୍ର୍ୟ
ଓ ଅସମାନତା ଦୂର କରିବାରେ ସହାୟକ ହୁଏ। ତେଣୁ ସାକ୍ଷରତା ହାର ବୃଦ୍ଧି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଯୋଜନା ସହ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଶିକ୍ଷା ପ୍ରତି ସମସ୍ତଙ୍କ ମନରେ ଆଗ୍ରହ ଓ ଉତ୍ସାହ ଜାଗ୍ରତ କରିବା ଏବଂ ଶିକ୍ଷାର ମହତ୍ତ୍ୱ ସଂକ୍ରାନ୍ତରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ୮କୁ ‘ଅନ୍ତର୍ଜାତୀୟ ସାକ୍ଷରତା ଦିବସ’ ଭାବେ ପାଳନ କରାଯାଉଛି। ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ (ୟୁନେସ୍କୋ) ପକ୍ଷରୁ ୭ ନଭେମ୍ବର ୧୯୬୫ରେ ଏହା ଘୋଷଣା କରାଯାଇଥିବାବେଳେ ୧୯୬୬ ମସିହାରୁ ସ୍ବତନ୍ତ୍ର ଭାବେ ପାଳନ କରାଯାଇ ଆସୁଛି। ତେବେ ଚଳିତବର୍ଷର ଥିମ୍ ରହିଛି ‘ଡିଜିଟାଲ ଯୁଗରେ ସାକ୍ଷରତାକୁ ପ୍ରୋତ୍ସାହିତ କରିବା’। ଡିଜିଟାଲ ମାଧ୍ୟମରେ ପାଠପଢ଼ିବା ବା ଡିଜିଟାଲି ଶିକ୍ଷିତ ହେଲେ ସ୍ଥାୟୀ ବିକାଶର ଲକ୍ଷ୍ୟ ପୂରଣ ହେବା ସହ ଶାନ୍ତିପୂର୍ଣ୍ଣ, ନ୍ୟାୟ ଏବଂ ସ୍ଥାୟୀ ସମାଜ ଗଠନ ହେବ ବୋଲି ଆହ୍ବାନ ଦିଆଯାଇଛି।
୨୦୧୧ ଜନଗଣନା ଅନୁଯାୟୀ, ଭାରତରେ ସାକ୍ଷରତା ହାର ୭୪.୦୪% ରହିଥିଲା। ହେଲେ ଏ କ୍ଷେତ୍ରରେ ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ବହୁ ପାର୍ଥକ୍ୟ ରହିଥିଲା। ମହିଳାଙ୍କ ସାକ୍ଷରତା ହାର ୬୫.୪୬ ରହିଥିବା ବେଳେ ପୁରୁଷଙ୍କ ହାର ୮୨.୧୪ ଥିଲା। ହେଲେ ସରକାରଙ୍କ ଦୀର୍ଘସ୍ଥାୟୀ ଯୋଜନା ଓ ପଦକ୍ଷେପ ଦ୍ୱାରା ଭାରତ ସମେତ ଓଡ଼ିଶାରେ ସାକ୍ଷରତା ହାର ବଢ଼ି ଚାଲିଛି। ଏଥିସହ ପୁରୁଷ ଓ ମହିଳାଙ୍କ ସାକ୍ଷରତା ହାର ବ୍ୟବଧାନ ମଧ୍ୟ କମିବାରେ ଲାଗିଛି। ପିରିୟଡିକ୍ ଲେବର ଫୋର୍ସ ସର୍ଭେ ୨୦୨୩-୨୪ ରିପୋର୍ଟ ଅନୁସାରେ, ଏବେ ଭାରତର ସାମଗ୍ରିକ ସାକ୍ଷରିତ ହାର ୮୦.୯%କୁ ବୃଦ୍ଧି ପାଇଛି। ତେବେ ସହରାଞ୍ଚଳରେ ୯୦% ରହିଥିବା ବେଳେ ଗ୍ରାମାଞ୍ଚଳରେ ୭୭% ରହିଛି। ସେହିପରି ପୁରୁଷଙ୍କ ସାକ୍ଷରତା ହାର ୮୮% ରହିଥିବା ବେଳେ ମହିଳାଙ୍କ ସାକ୍ଷରତା ହାର ୮୧% ରହିଛି।


