Categories: ଖେଳ

‘ସଚିନ ତେନ୍ଦୁଲକରଙ୍କୁ ଫୋନ କରି ତୁରନ୍ତ ସାହାଯ୍ୟ ମାଗନ୍ତୁ’

ଲିଡ୍ସ,୨୬।୮: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଇଂଲଣ୍ଡରେ ଖରାପ ପ୍ରଦର୍ଶନ ଜାରି ରଖିଛନ୍ତି। ଇଂଲଣ୍ଡ ବିପକ୍ଷରେ ହାରାହାରି ୧୭.୨୫ରେ ୪ ଇନିଂସରେ ସେ ମାତ୍ର ୬୯ ରନ କରିଛନ୍ତି। ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚରେ ବିଫଳ ହେବା ପରେ କୋହଲି ମଧ୍ୟ ଲିଡ୍ସ ଟେଷ୍ଟର ପ୍ରଥମ ଇନିଂସରେ ୭ ରନ ସଂଗ୍ରହ କରିଥିଲେ। ବିରାଟଙ୍କ ଖରାପ ଫର୍ମ ଭାରତ ପାଇଁ ଏକ ଚିନ୍ତାର ବିଷୟ। ଏହି ଚିନ୍ତା ଏତେ ବଡ ଯେ, ବିରାଟ କୋହଲିଙ୍କ ଉଇକେଟ ଯିବା ପରେ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ବିରାଟ କୋହଲିଙ୍କୁ ମହାନ ବ୍ୟାଟ୍ସମ୍ୟାନ୍‌ ସଚିନଙ୍କୁ ଫୋନ କରି ସାହାଯ୍ୟ ମାଗିବାକୁ ପରାମର୍ଶ ଦେଇଛନ୍ତି।
ଲିଡ୍ସ ଟେଷ୍ଟରେ କମେଣ୍ଟ୍ରି କରୁଥିବା ବେଳେ ସୁନୀଲ ଗାଭାସ୍କର କହିଛନ୍ତି, ବିରାଟ କୋହଲିଙ୍କୁ ତୁରନ୍ତ ସଚିନଙ୍କୁ ଫୋନ କରି ପଚାରିବାକୁ ପଡ଼ିବ ଯେ, ମୋତେ କ’ଣ କରିବାକୁ ପଡିବ? ସିଡନୀ ଟେଷ୍ଟରେ ସଚିନ ଯାହା କରିଥିଲେ ତାହା କର। ନିଜକୁ କୁହ ଯେ ମୁଁ କଭର ଡ୍ରାଇଭ ମାରିବି ନାହିଁ। ଗାଭାସ୍କର କହିଛନ୍ତି, ଏହା ମୋ ପାଇଁ ଚିନ୍ତାର ବିଷୟ, କାରଣ ସେ ପଞ୍ଚମ, ଷଷ୍ଠ ଏବଂ ସପ୍ତମ ବଲରେ ଆଉଟ୍‌ ହେଉଛନ୍ତି। ୨୦୧୪ ରେ ମଧ୍ୟ ସେ ଅଫ ଷ୍ଟମ୍ପରେ ବାହାରେ ଖେଳି ଆଉଟ୍‌ ହେଉଥିଲେ। ୨୦୦୩-୦୪ରେ ସଚିନ ଅଷ୍ଟ୍ରେଲିଆ ବିପକ୍ଷରେ ୨୪୧ ରନ୍‌ର ଇନିଂସ ଖେଳିଥିଲେ। ଏହି ଇଂନିସରେ ୪୩୬ ବଲ ଖେଳି ସେ ଗୋଟିଏ କଭର ମାରି ନ ଥିଲେ। ତେଣୁ ତାଙ୍କୁ ସଚିନଙ୍କଠାରୁ ଟିପ୍ସ ନେବା ଉଚିତ୍‌। କଭର୍‌ ଡ୍ରାଇଭ ହେଉଛି ବିରାଟ କୋହଲିଙ୍କ ପ୍ରିୟ ସଟ କିନ୍ତୁ ଇଂଲଣ୍ଡରେ ତାଙ୍କର ସଟ ହିଁ ଆଉଟ୍‌ ହେଉଛନ୍ତି। କୋହଲି ଗତ ୫୦ ଟି ଅନ୍ତର୍ଜାତୀୟ ଇନିଂସରେ ଶତକ ହାସଲ କରିବାରେ ସକ୍ଷମ ହୋଇ ନାହାଁନ୍ତି। ଗତ ୧୦ଟି ଟେଷ୍ଟ ମ୍ୟାଚରେ ବିରାଟଙ୍କ ହାରାହାରି ମାତ୍ର ୨୪.୫୬ ରହିଛି।

Share