କଲିଫର୍ନିଆରେ ୧୦ ଜଣଙ୍କୁ ଗୁଳିକରି ହତ୍ୟା କରିବା ପରେ ନିଜକୁ ଗୁଳିକଲେ ଶୁଟର

କାଲିଫର୍ନିଆ,୨୩ ।୧: ଆମେରିକାର କାଲିଫର୍ନିଆରେ ମୋଂଟେର ପାର୍କରେ ଚାଇନା ନୂଆବର୍ଷ ପାଳନ କରାଯାଉଥିବା ସମୟରେ ହୋଇଥିବା ଗୁଳିକାଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ହୋଇଯାଇଛି । କାଲିଫର୍ନିଆ ପୋଲିସ ତୁରନ୍ତ ଘଟଣାକୁ ନିଜ ଆୟତ୍ତକୁ ନେଇ ଯାଇଥିଲେ । ଆକ୍ରମଣକାରୀ ଓ ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ଆକ୍ରମଣକାରୀ ଏକ ଭ୍ୟାନରେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି । ଏହାସହ ରବିବାର ହୋଇଥିବା ସାମୁହିକ ଫାୟରିଂରେ କେତେଜଣ ଆହତ ହୋଇଛନ୍ତି । ଏହି ଘଟଣା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ, ଜନଗହଳି ଭିତରେ ଗୁଳିକାଣ୍ଡ ପରେ ପୋଲିସ ଯେତେବେଳେ ଏକ ଭ୍ୟାନ ପାଖରେ ପହଞ୍ଚିଲା ସେତେବେଳେ ଭ୍ୟାନ ଭିତରୁ ଗୁଳି ଫୁଟିବା ଶବ୍ଦ ଶୁଭିଲା । ଏହାପରେ ଭ୍ୟାନ ଭିତରେ ଆକ୍ରମଣକାରୀ ମୃତ ଅବସ୍ଥାରେ ପୋଲିସକୁ ମିଳିଥିଲା । ଆକ୍ରମଣକାରୀ ବ୍ୟକ୍ତି ଜଣଙ୍କ ହେଉଛନ୍ତି ୭୨ ବର୍ଷିୟ ହୁକୈନ ଟ୍ରାନ ବୋଲି କାଲିଫର୍ନିଆ ପୋଲିସ କହିଛି ।

Share