ଅକ୍ଟୋବର ୨ରେ ଚାଲିବନି UPI! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍‌ଲୀ,୨୭।୯: ୨ ତାରିଖରେ ଦେଶବ୍ୟାପୀ ‘ନୋ UPI ଡେ’ ପାଳନ ହେବା ନେଇ ମିଡିଆରେ ଯେଉଁ ଖବର ପ୍ରକାଶ ପାଇଛି ତାହା ସମ୍ପୂର୍ଣ୍ଣ ମିଛ। ଏଭଳି କୌଣସି ଘୋଷଣା କରାଯାଇ ନାହିଁ ବୋଲି ସ୍ପଷ୍ଟୀକରଣ ଦେଇଛି ଅଲ୍ ଇଣ୍ଡିଆ ଟ୍ରେଡର୍ସ କନଫେଡେରେସନ ଅର୍ଥାତ୍ CAIT ।

ରାଷ୍ଟ୍ରୀୟ ବ୍ୟାପାର ସଂଘ କହିଛି ଆମେ ଏଭଳି କୌଣସି ଘୋଷଣା କରି ନାହୁଁ। ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମ ଭାରତର ଅର୍ଥବ୍ୟବସ୍ଥାକୁ ସଶକ୍ତ କରିବା ପାଇଁ ଆବଶ୍ୟକ। ଆଉ ସଂଗଠନ ଏହାକୁ ସମର୍ଥନ କରେ। ଆମର ବିରୋଧ ପ୍ରଦର୍ଶନ ସହିତ ଏହାର କୌଣସି ସମ୍ପର୍କ ନାହିଁ ବୋଲି ସିଏଆଇଟି କହିଛି।

ଦୁଇଦିନ ପୂର୍ବରୁ ମିଡିଆରେ ଖବର ଆସିଥିଲା ଯେ ଅକ୍ଟୋବର ୨ ତାରିଖରେ ଦେଶବ୍ୟାପୀ ନୋ ୟୁପିଆଇ ଡେ ପାଳନ କରାଯିବ। ବେପାରୀ ଓ ଦୋକାନୀମାନେ ୟୁପିଆଇରେ ଟଙ୍କାଟିଏ ବି ନେବେ ନାହିଁ। ଏହି ଦିନ ବ୍ୟବସାୟୀମାନେ ସେମାନଙ୍କ ଦୋକାନରେ ଥିବା UPI QR କୋଡ୍, ସ୍କାନର, ସାଉଣ୍ଡ ବାକ୍ସ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ପେମେଣ୍ଟ ଡିଭାଇସଗୁଡ଼ିକୁ କଳା କପଡ଼ା ଘୋଡ଼ାଇ ପ୍ରତିବାଦ କରିବେ।

ସରକାର ୨୦୦୦ରୁ ଅଧିକ ଟ୍ରାଞ୍ଜାକ୍ସନ ପାଇଁ ୦.୦୪% ଚାର୍ଜ ଲାଗୁ କରିବାକୁ ବିରୋଧ କରି ବ୍ୟବସାୟୀ ସଂଗଠନ ନୋ ୟୁପିଆଇ ଡେ ପାଳନ କରିବାକୁ ଘୋଷଣା କରିଛି ବୋଲି ଖବର ପ୍ରକାଶ ପାଇଥିଲା। ହେଲେ ଏହା ସମ୍ପୂର୍ଣ୍ଣ ମିଛି। ସଂଗଠନ ଏଭଳି କୌଣସି ପ୍ରସ୍ତାବ ପାରିତ କରି ନାହିଁ। ସିଆଇଏଟି ନାଁରେ ଚଲାଯାଉଥିବା ଏହା ସମ୍ପୂର୍ଣ୍ଣ ମିଛ ଖବର ବୋଲି ଅଲ୍ ଇଣ୍ଡିଆ ଟ୍ରେଡର୍ସ କନଫେଡେରେସନ କହିଛି।

ୟୁପିଆଇ ଉପରେ ଏମଡିଆର୍କୁ ଶୁଳ୍କ ପ୍ରସଙ୍ଗରେ ପ୍ରତିବାଦ କରି କିଛି ଆଞ୍ଚଳିକ କିମ୍ବା ସ୍ଥାନୀୟ ବାଣିଜ୍ୟ ସଂଘ ବିରୋଧ କରିପାରନ୍ତି। ତେବେ ଏହା ସେମାନଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ଏହାକୁ ସିଏଆଇଟିର ମତ ଭାବରେ ବ୍ୟାଖ୍ୟା କରାଯିବା ଉଚିତ୍ ନୁହେଁ। ତେଣୁ ଏଭଳି କୌଣସି ଖବର ପ୍ରକାଶ କରିବା ପୂର୍ବରୁ ସଂଗଠନର ଅଫିସିଆଲ୍ ତଥ୍ୟ ଯାଞ୍ଚ କରିବା ପାଇଁ ସିଆଇଏଟି ମିଡିଆକୁ ପ୍ରସ୍ତାବ ଦେଇଛି। ଏବଂ ଲୋକଙ୍କୁ ମଧ୍ୟ କେବଳ ଆନୁଷ୍ଠାନିକ ଘୋଷଣା ଉପରେ ବିଶ୍ୱାସ କରିବାକୁ ପରାମର୍ଶ ଦେଇଛି।

UPI ଚାର୍ଜକୁ ବ୍ୟବସାୟୀ ସଂଗଠନର ବିରୋଧ କାହିଁକି?

ବ୍ୟବସାୟୀ ସଂଗଠନଗୁଡ଼ିକର କହିବା ଅନୁସାରେ, ରିଟେଲ୍ ବ୍ୟବସାୟୀ ଓ ଡିଷ୍ଟ୍ରିବ୍ୟୁଟରମାନେ କମ୍ ମାର୍ଜିନ୍ରେ ବ୍ୟବସାୟ କରନ୍ତି। ଏଭଳି ସ୍ଥିତିରେ ଡିଜିଟାଲ୍ କାରବାର ଉପରେ ଅତିରିକ୍ତ ଚାର୍ଜ ଲାଗିଲେ ସେମାନଙ୍କ ଖର୍ଚ୍ଚ ବଢ଼ିବ। ତେଣୁ ଏହାକୁ ବିରୋଧ କରାଯାଉଛି।

Share