Categories: ଜାତୀୟ

ଅଧା ବାଟରେ ଅଟକିଲା ରୋପଓ୍ବେ: ମଝି ଆକାଶରେ ଝୁଲିଲେ ପର୍ଯ୍ୟଟକ

ଶିମଲା,୨୦।୬: ମଝି ଆକାଶରେ ରୋପଓ୍ବେ ବନ୍ଦ ହୋଇଯିବା ଘଟଣା ପୁଣି ସାମ୍ନାକୁ ଆସିଛି। ବାରମ୍ବାର ଏଭଳି ଘଟଣା ଘଟିବା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। କିଛି ଏଭଳି ଘଟଣା ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶର ପରୱାନୋରେ। ସୋଲାନ ଜିଲାର ଟିମ୍ବର ଟ୍ରେଲ ରୋପଓ୍ବେରେ ସୋମବାର ଅପରାହ୍ନରେ ଏହି ଅଘଟଣ ଘଟିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ ମଝି ଆକାଶରେ ୨୫୦ ରୁ ୩୦୦ ଫୁଟ ଉଚ୍ଚରେ ଏକ ରୋପଓ୍ବେ ଅଟକିଯିବାରୁ ପ୍ରାୟ ୨ଘଣ୍ଟାରୁ ଊର୍ଦ୍ଧ୍ୱ ହେବ କେତେକ ପର୍ଯ୍ୟଟକମାନେ ଫଶି ରହିଛନ୍ତି। ଫଳରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆଉ ଏକ କେବୁଲ କାର ଟ୍ରଲି ନିଯୋଜିତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୨ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ଅପରେଶନ୍‌ ଜାରି ରହିଛି। ଟିମ୍ବର ଟ୍ରେଲର ଅପରେଟରର ବୈଷୟିକ ଟିମ୍‌ ନିୟୋଜିତ ହୋଇଥିବା ବେଳେ ପରିସ୍ଥିତି ଉପରେ ପୋଲିସ ଟିମ୍‌ ନଜର ରଖିଛି। ସୂଚନା ମୁତାବକ, ଏହି କେବୁଲ କାର୍‌ ଟିମ୍ବର ଟ୍ରେଲ ଘରୋଇ ରିସୋର୍ଟର ବୋଲି ଜଣାପଡ଼ିଛି। ଏହା ହିମାଚଳ ପ୍ରଦେଶର ହରିୟାଣା, ପଞ୍ଜାବ ଏବଂ ଚଣ୍ଡିଗଡ଼ ସହିତ ସମଗ୍ର ଅଞ୍ଚଳରେ ବେଶ୍‌ ଲୋକପ୍ରିୟ।

Share