Categories: ଜାତୀୟ

ଅଧ୍ୟାଦେଶକୁ କ୍ୟାବିନେଟ ମଞ୍ଜୁରୀ: ସଂସଦରେ ହେବ ଆଗତ…

ନୂଆଦିଲ୍ଲୀ,୨୫।୭ : ଦିଲ୍ଲୀର ଅଧିକାରୀଙ୍କ ଟ୍ରାନ୍ସଫର ପୋଷ୍ଟିଂ ସହ ଜଡିତ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ସହ ଜଡିତ ଏହି ବିଲ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟର ମଞ୍ଜୁରୀ ଲାଭ କରିଛି। ସଂସଦର ମୌସୁମୀ ଅଧିବେଶନରେ ସରକାର ବର୍ତ୍ତମାନ ଏହି ବିଲ ଆଗତ କରିପାରିବେ। କେନ୍ଦ୍ର ସରକାର ୧୯ ମେରେ ଏହି ଅଧ୍ୟାଦେଶ (ଦିଲ୍ଲୀ ଅର୍ଡିନାନ୍ସ ୨୦୨୩) ଜାରି କରିଥିଲେ।

କେନ୍ଦ୍ର ଦ୍ୱାରା ଜାରି କରାଯାଇଥିବା ଏହି ନିୟମରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ତଥା ଡାନିକ୍ସ କ୍ୟାଡରର ଗ୍ରୁପ-ଏ ଅଧିକାରୀଙ୍କ ବିରୋଧରେ ଟ୍ରାନ୍ସଫର ପାଇଁ ନ୍ୟାଶନାଲ କ୍ୟାପିଟାଲ ସିଭିଲ ସର୍ଭିସେସ ଅଥରିଟି ପ୍ରତିଷ୍ଠା କରିବାର ବ୍ୟବସ୍ଥା ରହିଛି। ସଂସଦ ଅଧିବେଶନରେ ନ ଥିବାବେଳେ ସରକାର ଏକ ଆଦେଶ ଆଣିଛନ୍ତି, କିନ୍ତୁ ଏହାକୁ ୬ ସପ୍ତାହ ମଧ୍ୟରେ ସଂସଦ ପାରିତ କରିବାକୁ ପଡିବ।

ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାର ଏହି ଅଧ୍ୟାଦେଶକୁ ଦୃଢ଼ ବିରୋଧ କରିଛନ୍ତି। ଏହି ମାମଲା ସୁପ୍ରିମକୋର୍ଟଙ୍କ ଦ୍ୱାରା ୫ ଜଣିଆ ବିଚାରପତିଙ୍କ ସମ୍ବିଧାନ ବେଞ୍ଚକୁ ପଠାଯାଇଛି। ଏହି ନିୟମ ବିରୁଦ୍ଧରେ ସମର୍ଥନ ହାସଲ କରିବାକୁ ଏଏପିର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ସିଏମ ଅରବିନ୍ଦ କେଜରିୱାଲ ବହୁ ବିରୋଧୀଦଳ ନେତାଙ୍କୁ ଭେଟିଛନ୍ତି।

ଅତୀତରେ ଅରବିନ୍ଦ କେଜରିୱାଲ ବିହାର ସିଏମ ନୀତୀଶ କୁମାର, ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀ, ଏନସିପି ମୁଖ୍ୟ ଶରଦ ପାୱାର, ଡିଏମକେ ମୁଖ୍ୟ ଏମ.କେ ଷ୍ଟାଲିନ ଏବଂ ବହୁ ନେତାଙ୍କୁ ଭେଟିଥିଲେ। ରାଜ୍ୟସଭାରେ ଏହି ବିଲକୁ ବିରୋଧ କରିବାକୁ ଅରବିନ୍ଦ କେଜରିୱାଲ ବିରୋଧୀ ଦଳଙ୍କ ସମର୍ଥନ ଲୋଡିଛନ୍ତି।

କଂଗ୍ରେସ, ଟିଏମସି, ଡିଏମକେ ସମେତ ଅନେକ ଦଳ ସେମାନଙ୍କ ସମର୍ଥନ ବିଷୟରେ କହିଛନ୍ତି।

Share