Categories: ଜାତୀୟ

ଜାତୀୟ ନିଯୁକ୍ତି ଏଜେନ୍ସି ସ୍ଥାପନକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ, ୨୦।୮(ଆଇଏନ୍‌ଏସ୍‌): ଜାତୀୟ ନିଯୁକ୍ତି ଏଜେନ୍ସି ସ୍ଥାପନକୁ ବୁଧବାର କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଅଧିକାଂଶ କେନ୍ଦ୍ରୀୟ ସରକାରୀ ଚାକିରି ପାଇଁ ଏହି ସଂସ୍ଥା ସାଧାରଣ ଯୋଗ୍ୟତା ପରୀକ୍ଷା ପରିଚାଳନା କରିବ। ଏହା ଏକ ଐତିହାସିକ ନିଷ୍ପତ୍ତି ଯାହା ନିଯୁକ୍ତି ଆଶାୟୀ ଯୁବତୀଯୁବକଙ୍କ ପାଇଁ ଲାଭଦାୟକ ହେବ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ଚଳିତ ବର୍ଷର କେନ୍ଦ୍ରୀୟ ବଜେଟ ଉପସ୍ଥାପନ ବେଳେ ସରକାର ଜାତୀୟ ନିଯୁକ୍ତି ଏଜେନ୍ସି (ଏନ୍‌ଆର୍‌ଏ) ପ୍ରସ୍ତାବ ଆଣିଥିଲେ। ଏହା ଏକ ନିରପେକ୍ଷ ସଂଗଠନ ଯାହା ସରକାରୀ ନିଯୁକ୍ତି ପାଇଁ ସାଧାରଣ ଯୋଗ୍ୟତା ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀ ଚୟନ କରିବ। ଏବେ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ଏବଂ ଷ୍ଟାଫ୍‌ ସିଲେକ୍ସନ କମିଶନ (ଏସ୍‌ଏସ୍‌ସି) ଜରିଆରେ ସରକାରୀ ନିଯୁକ୍ତି ଲାଗି ପରୀକ୍ଷା କରାଯାଉଛି।
ଏନ୍‌ଆର୍‌ଏ ସ୍ଥାପନ ଲାଗି କ୍ୟାବିନେଟ ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟର ଜରିଆରେ ଉଚ୍ଚ ପ୍ରଶଂସା କରିଛନ୍ତି। ଦେଶର କୋଟି କୋଟି ଯୁବତୀଯୁବକଙ୍କ ପାଇଁ ଏହା ବରଦାନ ହେବ। ବିଭିନ୍ନ ନିଯୁକ୍ତି ପାଇଁ ସେମାନଙ୍କୁ ଆଉ ଏକାଧିକ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଫଳରେ ସେମାନଙ୍କର ମୂଲ୍ୟବାନ ସମୟ ଓ ସମ୍ବଳ ବଞ୍ଚତ୍ବା ସହ ନିଯୁକ୍ତି କ୍ଷେତ୍ରରେ ସ୍ବଚ୍ଛତା ଆସିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏନ୍‌ଆର୍‌ଏ ସବୁ ଜିଲାରେ ପରୀକ୍ଷା କେନ୍ଦ୍ର କରିବ। ପରୀକ୍ଷାର୍ଥୀଙ୍କୁ ବିଶେଷ କରି ମହିଳା ପ୍ରାର୍ଥୀଙ୍କୁ ପରୀକ୍ଷା ପାଇଁ ଦୂରକୁ ଯିବାକୁ ପଡ଼ିବ ନାହିଁ। ସମ୍ପ୍ରତି ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଁ ପ୍ରାର୍ଥୀମାନଙ୍କୁ ବିଭିନ୍ନ ସଂସ୍ଥା ଅଧୀନରେ ଭିନ୍ନ ଭିନ୍ନ ପରୀକ୍ଷା ଦେବାକୁ ପଡ଼ୁଛି। ଏଥିରେ ସମୟ ବରବାଦ ହେବା ସହ ନିଯୁକ୍ତି ଆଶାୟୀମାନେ ଖର୍ଚ୍ଚାନ୍ତ ହେଉଛନ୍ତି। ଦୂରରେ ଥିବା ପରୀକ୍ଷାକେନ୍ଦ୍ରକୁ ଯିବା ଆସିବା, ରହିବା ଆଦିରେ ମଧ୍ୟ ଅଧିକ ଖର୍ଚ୍ଚ ହେଉଛି। ଗୋଟିଏ ପରୀକ୍ଷା ହେବା ଦ୍ୱାରା ଏହିସବୁ ଖର୍ଚ୍ଚରୁ ମୁକ୍ତି ମିଳିବ ବୋଲି କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share