ନୂଆଦିଲ୍ଲୀ,୬।୮: ଦେଶରେ ପରିବେଶ ଅନୁକୂଳ ଇନ୍ଧନକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଆଗାମୀ ଦିନରେ ଘରୋଇ ରୋଷେଇ ଗ୍ୟାସ ଭାବେ ବ୍ୟବହୃତ ପାଇପ୍ଡ ନ୍ୟାଚୁରାଲ ଗ୍ୟାସ (PNG) ଏବଂ ଯାନବାହନରେ ବ୍ୟବହୃତ କମ୍ପ୍ରେସ୍ଡ ନ୍ୟାଚୁରାଲ ଗ୍ୟାସ (CNG)ରେ କମ୍ପ୍ରେସ୍ଡ ବାୟୋଗ୍ୟାସ (CBG) ମିଶାଯିବ।
ଏହି ଲକ୍ଷ୍ୟ ପୂରଣ ପାଇଁ ଦେଶରେ ୬୦୦ରୁ ୭୦୦ଟି ନୂଆ ବାୟୋଗ୍ୟାସ ପ୍ଲାଣ୍ଟ ସ୍ଥାପନ କରାଯିବ। ଏଥିପାଇଁ କେନ୍ଦ୍ର ସରକାର ପ୍ରାୟ ୨୦,୦୦୦ କୋଟି ଟଙ୍କାର ସମ୍ପୂର୍ଣ୍ଣ ଗୋବର୍ଦ୍ଧନ ଯୋଜନା (Galvanizing Organic Bio-Agro Resources Dhan – GOBAR-DHAN)କୁ ଅନୁମୋଦନ ଦେଇପାରନ୍ତି । ଅଗଷ୍ଟ ୧୦ ତାରିଖ ‘ବିଶ୍ୱ ଜୈବ ଇନ୍ଧନ ଦିବସ’ ଅବସରରେ ଏହି ଯୋଜନାର ଶୁଭାରମ୍ଭ ହୋଇପାରେ।
ନୂଆ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କମ୍ପ୍ରେସ୍ଡ ବାୟୋଗ୍ୟାସ (CBG)ର ଉତ୍ପାଦନକୁ ଦ୍ରୁତ ଗତିରେ ବଢ଼ାଇବା। ଏଥିପାଇଁ ସରକାର CBGର କ୍ରୟ ମୂଲ୍ୟ ବୃଦ୍ଧି କରିବା ସହ ନୂଆ ପ୍ରକଳ୍ପଗୁଡ଼ିକ ପାଇଁ ଅଧିକ ପୁଞ୍ଜି ସବସିଡି ପ୍ରଦାନ କରିବେ। ଏହି ପଦକ୍ଷେପ SATAT (Sustainable Alternative Towards Affordable Transportation) ଯୋଜନା ଆରମ୍ଭ ହେବାର ପ୍ରାୟ ୮ ବର୍ଷ ପରେ ନିଆଯାଉଛି। SATAT ଅନ୍ତର୍ଗତ ୫,୦୦୦ଟି CBG ପ୍ଲାଣ୍ଟ ସ୍ଥାପନର ଲକ୍ଷ୍ୟ ରହିଥିଲେ ମଧ୍ୟ, ବର୍ତ୍ତମାନ ସୁଦ୍ଧା କେବଳ ୨୧୯ଟି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇପାରିଛି। ନୂଆ ଯୋଜନା ଲାଗୁ ହେଲେ ଏକ ବର୍ଷ ମଧ୍ୟରେ ଆଉ ୬୦୦ରୁ ୭୦୦ଟି ନୂଆ CBG ପ୍ଲାଣ୍ଟ ସ୍ଥାପନ ହୋଇପାରିବ ବୋଲି ଆଶା କରାଯାଉଛି। କମ୍ପ୍ରେସ୍ଡ ବାୟୋଗ୍ୟାସ (CBG)କୁ CNG ଓ PNGରେ ମିଶାଇବାକୁ ସରକାର ବାଧ୍ୟତାମୂଳକ କରିବାକୁ ଯାଉଛନ୍ତି। ଏହା ଅନୁଯାୟୀ, ସିଟି ଗ୍ୟାସ ବିତରକ କମ୍ପାନୀମାନଙ୍କୁ CNG ଓ PNG ଯୋଗାଣରେ ନିର୍ଦ୍ଦିଷ୍ଟ ପରିମାଣର CBG ମିଶାଇବାକୁ ପଡ଼ିବ।
ଅଧିକାରୀମାନଙ୍କ କହିବା ଅନୁସାରେ, ବର୍ତ୍ତମାନ ଯେଉଁ ହାରରେ CBG ଉତ୍ପାଦନ କ୍ଷମତା ବଢ଼ୁଛି, ତାହା ଆଗାମୀ ତିନି ବର୍ଷରେ ସରକାରଙ୍କ ବ୍ଲେଣ୍ଡିଂ ଲକ୍ଷ୍ୟ ପୂରଣ ପାଇଁ ପର୍ଯ୍ୟାପ୍ତ ନୁହେଁ। ସେଥିପାଇଁ ନୂଆ ବିନିଯୋଗ ଓ ଅଧିକ ସଂଖ୍ୟକ ବାୟୋଗ୍ୟାସ ପ୍ଲାଣ୍ଟ ସ୍ଥାପନ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି।ଏହି ପଦକ୍ଷେପ ସଫଳ ହେଲେ ଦେଶରେ ସ୍ୱଚ୍ଛ ଇନ୍ଧନର ବ୍ୟବହାର ବଢ଼ିବା ସହ ପ୍ରଦୂଷଣ କମିବ ଏବଂ କୃଷି ଓ ଜୈବ ବର୍ଜ୍ୟର ସଦ୍ବ୍ୟବହାର ମଧ୍ୟ ବୃଦ୍ଧି ପାଇବ।