ଦାରିଙ୍ଗବାଡ଼ି,୩ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ ୪ ମାସ ହେଲା ବର୍ଷା ଲାଗିରହିଥିବା ବେଳେ ୩ ଦିନ ହେଲା ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି। ଫଳରେ ଅଞ୍ଚଳର ପନିପରିବା ଚାଷୀ ବହୁ କ୍ଷତି ସହୁଛନ୍ତି। ଚାଷଜମିରୁ ଏବେ ପାଣି ଝର ପଡ଼ିଥିବାରୁ ବର୍ଷା କମିଥିଲେ ମଧ୍ୟ ଜଳ କମିନାହିଁ। ଫଳରେ ବନ୍ଧା, ଫୁଲକୋବି ସମେତ ବିନ୍, ବାଇଗଣ, ଟମାଟୋ, ଆଳୁଚାଷରେ ପ୍ରବଳ ନଷ୍ଟ ହୋଇଛି। ଉକ୍ତ ବ୍ଲକ ଶ୍ରାନିକେତା ପଞ୍ଚାୟତରେ ପ୍ରାୟ ୨୦ ଜଣ ଚାଷୀଙ୍କ ବନ୍ଧା ଓ ଫୁଲ କୋବିଚାଷରେ ଜମିରେ ପାଣି ଜମିବା ସହ ମୂଳ ସଢ଼ା ହେବା ସହ ରୋଗପୋକ ଯୋଗୁ ଶହଶହ ହେକ୍ଟର ଜମିର ଫସଲ ନଷ୍ଟ ହେବାରେ ଲାଗିଛି। ଯଦି ଶନିବାର ରବିବାର ସୁଦ୍ଧା ଖରା ନ ହୁଏ ତେବେ ଆହୁରି ବଡ଼ କ୍ଷତି ହେବା ଆଶଙ୍କା କରାଯାଇଛି।
ଏମିତି ଜଣେ ମହିଳା ଚାଷୀ ପୁଷ୍ପଲତା ବେହେରା ଯିଏ କି ସ୍ବାମୀ ସନ୍ତୋଷ ବେହେରାଙ୍କ ସହ ମିଶି ୨୦ ହଜାର ବନ୍ଧା ଓ ଫୁଲକୋବି ଚାଷ କରିଥିଲେ। ଏବେ ଜମିରେ ଝର ପଡ଼ି ସମସ୍ତ ଫୁଲକୋବି ଗଛରେ ମୂଳ ପଚି ଯିବା ସହ ରୋଗ ପୋକ ଲାଗିଯାଇଛି। ସେହିପରି ଆଉ କିଛିଦିନ ପରେ ଚାଷୀ ପୁଷ୍ପଲତା ବନ୍ଧା କୋବି ଅମଳ କରି ବିକ୍ରି କରିବାକୁ ରହିଥିବା ବେଳେ ଅମଳ ପୂର୍ବରୁ ହିଁ ଲଗାଣ ବର୍ଷା ଉଜାଡ଼ିଦେଇଛି ଚାଷ।
ସେ କୁହନ୍ତି, ସେ ଋଣ କରି ଏହି ଚାଷ ଆରମ୍ଭ କରିଥିଲେ ହେଲେ ଚଳିତବର୍ଷ ତାଙ୍କ ଫସଲ ବହୁତ ଭଲ ହୋଇଥିଲା। ଆଉ କିଛି ଦିନ ପରେ ବନ୍ଧାକୋବି ଅମଳ କରି ଲକ୍ଷାଧିକ ଟଙ୍କା ରୋଜଗାର କରିବା ସେ ଲକ୍ଷ୍ୟ ରଖିଥିଲେ। କିନ୍ତୁ ଏବେ ସମସ୍ତ ବନ୍ଧାକୋବି ମୂଳ ପଚିସଢ଼ି ହୋଇ ନଷ୍ଟ ହୋଇଥିବା କହିଛନ୍ତି ମହିଳା ଚାଷୀ ପୁଷ୍ପଲତା।


