Categories: ଜାତୀୟ

ପଶ୍ଚିମବଙ୍ଗରେ ଶୀଘ୍ର ଲାଗୁ ହେବ ସିଏଏ: ଶୁଭେନ୍ଦୁ ଅଧିକାରୀ…

କୋଲକାତା,୧।୧୧ : ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ମଙ୍ଗଳବାର କହିଛନ୍ତି ଯେ ଦେଶରେ ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ଲାଗୁ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବ୍‌ ଶୀଘ୍ର ପଶ୍ଚିମବଙ୍ଗରେ ମଧ୍ୟ ଏହା ଲାଗୁ କରାଯିବ।

ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନରୁ ଆସୁଥିବା ଏବଂ ବର୍ତ୍ତମାନ ଗୁଜରାଟର ଦୁଇଟି ଜିଲାରେ ରହୁଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନମାନଙ୍କୁ ନାଗରିକତା ଅଧିନିୟମ, ୧୯୫୫ ଅନୁଯାୟୀ କେନ୍ଦ୍ର ନାଗରିକତ୍ୱ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି।

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ ଗୁଜରାଟର ଆନନ୍ଦ ଏବଂ ମେହସାଣା ଜିଲାରେ ରହୁଥିବା ହିନ୍ଦୁ, ଶିଖ, ବୌଦ୍ଧ, କୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନଙ୍କୁ ଧାରା ୫ ଅନୁସାରେ ନାଗରିକତ୍ୱ ପ୍ରଦାନ ପାଇଁ ପଞ୍ଜିକରଣ କରିବାକୁ ଅନୁମତି ଦିଆଯିବ। ୧୯୫୫ର ଧାରା ୬ ଅନୁଯାୟୀ ଏବଂ ନାଗରିକତା ନିୟମ, ୨୦୦୯ ଅନୁଯାୟୀ ଦେଶୀକରଣ ପ୍ରମାଣପତ୍ର ଦିଆଯିବ। କେନ୍ଦ୍ରର ବିଜ୍ଞପ୍ତି ସହ ଜଡିତ ଏକ ପ୍ରଶ୍ନର ଉତ୍ତରରେ ଶୁଭେନ୍ଦୁ କହିଛନ୍ତି ଯେ ପାକିସ୍ଥାନ ପରି ପଡୋଶୀ ଦେଶରୁ କିଛି ସଂଖ୍ୟାଲଘୁ ଗୋଷ୍ଠୀଙ୍କୁ ନାଗରିକତ୍ୱ ପ୍ରଦାନ କାର୍ଯ୍ୟ ଗୁଜରାଟର ଦୁଇଟି ଜିଲାରେ କାର୍ଯ୍ୟକାରୀ ହୋଇସାରିଛି। ନନ୍ଦିଗ୍ରାମର ବିଧାୟକ ଶୁଭେନ୍ଦୁ କହିଛନ୍ତି, ପଶ୍ଚିମବଙ୍ଗକୁ ସିଏଏ କାର୍ଯ୍ୟକାରିତା ପ୍ରକ୍ରିୟାରୁ ବାଦ ଦିଆଯାଇପାରିବ ନାହିଁ। ମାତୁଆ ସମ୍ପ୍ରଦାୟର ସଦସ୍ୟ ଏବଂ ନାମସୁଦ୍ରଙ୍କ ପରି ଅନ୍ୟ ପଛୁଆ ଜାତିର ଲୋକମାନେ ଖୁବ ଶୀଘ୍ର ଏହାଦ୍ୱାରା ଲାଭ ପାଇବେ।

ଏହି ଅବସରରେ କେନ୍ଦ୍ର ପରିବହନ ରାଷ୍ଟ୍ର ମନ୍ତ୍ରୀ ଶାନ୍ତନୁ ଠାକୁର କହିଛନ୍ତି ଯେ ମୁଁ କେବଳ କହିପାରେ ଯେ ଯଦି ସିଏଏ କାର୍ଯ୍ୟକାରୀ ହୁଏ ତେବେ ଏହା ମାତୁଆ ସମ୍ପ୍ରଦାୟ ସମେତ ପଛୁଆ ଜାତିର ସଦସ୍ୟଙ୍କ ପାଇଁ ବହୁତ ସହାୟକ ହେବ। ବନଗାଓଁ ଲୋକସଭା ଆସନରୁ ଶାନ୍ତନୁ ଠାକୁର, ମାତୁଆ ସମ୍ପ୍ରଦାୟର ଏମ୍‌ପି ଭାବେ ନିର୍ବାଚିତ ହୋଇଛନ୍ତି।

ଉଲ୍ଲେଖନୀୟ ବିଷୟ ହେଉଛି, ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ଥାନରୁ ଆସୁଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନମାନଙ୍କୁ ସିଏଏ ଅନ୍ତର୍ଗତ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯିବ। ଯେହେତୁ ଏହି ଅଧିନିୟମ ଅନୁଯାୟୀ ସରକାର ଏପର୍ଯ୍ୟନ୍ତ ନିୟମ ପ୍ରସ୍ତୁତ କରିନାହାଁନ୍ତି, ତେଣୁ ଏପର୍ଯ୍ୟନ୍ତ କାହାକୁ ନାଗରିକତ୍ୱ ଦିଆଯାଇ ନାହିଁ।

Share