ଅପପ୍ରଚାର କରି ବନ୍ଧାହେଲେ ୧୬

ସମ୍ବଲପୁର,୩୦।୪(ବ୍ୟୁରୋ): ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ପଥରମାଡ଼, ପୋଡ଼ାଜଳା, ଆକ୍ରମଣ ଭଳି ଘଟଣା ଘଟିଥିଲା। ଏପରି କି ଚନ୍ଦ୍ରଶେଖର ମିର୍ଦ୍ଧା ନାମକ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏହାକୁ ନେଇ ଜିଲା ପ୍ରଶାସନ ଏପ୍ରିଲ ୧୩ରୁ ନେଟ୍‌ସେବା ବନ୍ଦ କରି ସହରରେ କର୍ଫ୍ୟୁ ଲଗାଇଥିଲା। ୧୦ଦିନ ପରେ ଏପ୍ରିଲ ୨୪ରେ ନେଟ୍‌ସେବା ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇଥିଲା। ହେଲେ ପୋଲିସ ପକ୍ଷରୁ କଡା ତାଗିଦ କରାଯାଇଥିଲା। କିନ୍ତୁ ପୋଲିସକୁ ଭୟ ନ କରି ସାମାଜିକ ଗଣମାଧ୍ୟମରେ ସାମ୍ପ୍ରଦାୟିକ ଘଟଣାକୁ ନେଇ ବିଭିନ୍ନ ଅପପ୍ରଚାର ହେଉଛି। ଏହି ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୋଟ ୧୬ଜଣଙ୍କୁ ବାନ୍ଧି ବ୍ୟକ୍ତିଗତ ମୁଚାଲିକାରେ ଥାନାରୁ ଜାମିନ ଦେଇଛି। ଏହାସହ ଦୁଇଟି ହ୍ବାଟ୍ସଆପ ଗ୍ରୁପ ଆଡ୍‌ମିନଙ୍କୁ ନୋଟିସ କରାଯାଇଛି। ଆଗକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶନିବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ପି ବାତୁଳା ଗଙ୍ଗାଧର ସୂଚନା ଦେଇଛନ୍ତି ା
ସେ ଆହୁରି କହିଛନ୍ତି, ଜନସାଧାରଣଙ୍କ ସୁବିଧା ପାଇଁ ମୋବାଇଲ ନେଟ୍‌ସେବା ଦିଆଯାଇଥିଲା। ସାମାଜିକ ଗଣମାଧ୍ୟମ ଫେସ୍‌ବୁକ, ହ୍ବାଟ୍ସଆପ, ଟୁଇଟର, ଇନ୍‌ଷ୍ଟାଗ୍ରାମ, ସ୍ନାପ୍‌ଚାର୍ଟ ଭଳି ପ୍ଲାଟଫର୍ମରେ ହିଂସା ସମ୍ବନ୍ଧୀୟ ପ୍ରଚାର ଉପରେ ରୋକ ଲଗାଯାଇଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଟୋଲ ଫ୍ରି ନମ୍ବର ସହ ପୋଲିସ ଅଧିକାରୀଙ୍କ ନମ୍ବର ସର୍ବସାଧାରଣ କରାଯାଇଛି। ଏହା ସତ୍ତ୍ୱେ ସାମାଜିକ ଗଣମାଧ୍ୟମରେ ଅପପ୍ରଚାର ନେଇ ଦୁଇଟି ଗ୍ରୁପ ଆଡମିନଙ୍କ ସହ ୧୬ଜଣଙ୍କୁ ଥାନାକୁ ଆଣି ବ୍ୟକ୍ତିଗତ ଜମାନତରେ ଛାଡି ଦିଆଯାଇଛି। ଏଭଳି ଅପପ୍ରଚାର କଲେ ଆଗକୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୋଲିସ ସବୁ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଉପରେ ନଜର ରଖିଛି ା ଏପ୍ରିଲ ୧୪ ତାରିଖ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଘଟିଥିବା ଘଟଣାରେ ପୋଲିସ ଏପର୍ଯ୍ୟନ୍ତ ୫୬ଜଣଙ୍କୁ ଗିରଫ କରିଛି। ସେହିପରି ଚନ୍ଦ୍ରଶେଖର ହତ୍ୟା ଘଟଣାରେ ୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅନ୍ୟପଟେ ଏପ୍ରିଲ ୧୨ ତାରିଖ ବାଇକ୍‌ ଶୋଭାଯାତ୍ରା ସମୟରେ ଘଟିଥିବା ଘଟଣାରେ ପୋଲିସ ୩୮ଜଣଙ୍କୁ ଗିରଫ କରିଛି। ଏହିପରି ମୋଟ ଗିରଫ ସଂଖ୍ୟା ୧୦୨ରେ ପହଞ୍ଚତ୍ଛି। ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି। ବର୍ତ୍ତମାନ ଟାଉନ ଥାନା ଓ ଧନୁପାଲି ଥାନା ଅଞ୍ଚଳରେ ରାତ୍ର କର୍ଫ୍ୟୁ ବଳବତ୍ତର ରହିଛି। ଏହାକୁ ମଧ୍ୟ ଉଠାଇ ଦିଆଯାଇପାରେ ବୋଲି ଏସ୍‌ପି ଗଙ୍ଗାଧର କହିଥିଲେ। ସୂଚନାଯୋଗ୍ୟ, ହିଂସା ଘଟଣା ପରେ ସମ୍ବଲପୁର ଜିଲାରେ ନେଟ୍‌ସେବା ବନ୍ଦ କରାଯିବା ସହ କ୍ଷେତରାଜପୁର, ସଦର, ଧନୁପାଲି, ଅଇଁଠାପାଲି, ଟାଉନ ଥାନା, ବରେଇପାଲି ଥାନା ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଥିଲା। ପର୍ଯ୍ୟାୟକ୍ରମେ ୪ଟି ଥାନା ଅଞ୍ଚଳରୁ କର୍ଫ୍ୟୁ ହଠାଇ ଦିଆଯାଇଥିଲା।