ଜୁନ୍‌ ୨୫ ସୁଦ୍ଧା ରତ୍ନଭଣ୍ଡାର ସ୍ଥିତି ସତ୍ୟପାଠ ଦାଖଲ ହେବ

କଟକ ଅଫିସ,୧୭ା୩: ହାଇକୋର୍ଟରେ ଗୁରୁବାର ପୁରୀ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ମାମଲାର ଶୁଣାଣି ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିରର ଜଗମୋହନ ଓ ନାଟମଣ୍ଡପ କାର୍ଯ୍ୟ ଚାଲିଥିବା ତଥ୍ୟ ଉପସ୍ଥାପନ କରାଯାଇଛି। ଏଏସ୍‌ଆଇ ପକ୍ଷରୁ ଗତ ୧୪ରୁ ଆରମ୍ଭ ହୋଇଥିବା ମନ୍ଦିର ମରାମତି କାର୍ଯ୍ୟ ଆସନ୍ତା ମେ’ ୩୧ ତାରିଖ ସୁଦ୍ଧା ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ରଥଯାତ୍ରା ପୂର୍ବରୁ ଏସବୁ କାର୍ଯ୍ୟ ଶେଷ ହେବ। ତେବେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଶ୍ରୀମନ୍ଦିର ମରାମତି କାର୍ଯ୍ୟର ସ୍ଥିତାବସ୍ଥା ରିପୋର୍ଟ ସରକାର ହାଇକୋର୍ଟରେ ଦାଖଲ କରିବେ। କୋଣାର୍କ ସୂର୍ଯ୍ୟମନ୍ଦିର ମରାମତିର ସ୍ଥିତାବସ୍ଥା ରିପୋର୍ଟ ମଧ୍ୟ ଏକ ସଙ୍ଗେ ଦାଖଲ କରାଯିବାକୁ ନିର୍ଦ୍ଦେଶ ରହିଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତି ସଂକ୍ରାନ୍ତୀୟ ସତ୍ୟପାଠ ଦାଖଲ ନିମନ୍ତେ ୨୦୨୨ ଅକ୍ଟୋବର ୧୮ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ଅଦ୍ୟାବଧି ଏହି ସତ୍ୟପାଠ ଦାଖଲ ହୋଇପାରିନାହିଁ। ରତ୍ନଭଣ୍ଡାର ଶେଷ ଥର ପାଇଁ କେବେ ଖୋଲା ଯାଇଥିଲା, ଆଜିପର୍ଯ୍ୟନ୍ତ କାହିଁକି ଖୋଲାଯାଇନାହିଁ ଆଦି ବିଭିନ୍ନ ପ୍ରଶ୍ନର ଉତ୍ତର ସେଥିରେ ପ୍ରଦାନ କରାଯିବା କଥା। ଏହାକୁ ନେଇ ହାଇକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଆଗାମୀ ଜୁନ୍‌ ୨୫ ତାରିଖ ମଧ୍ୟରେ ନିଶ୍ଚିତ ଭାବେ ରତ୍ନଭଣ୍ଡାର ସମ୍ପର୍କିତ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ବିଚାରପତି ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିଲା। ଆସନ୍ତା ଜୁଲାଇ ୧୦ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଲୋକ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।