୨୦୫୦ ସୁଦ୍ଧା ସବୁ ଶିଶୁଙ୍କୁ ପ୍ରଭାବିତ କରିବ ଗ୍ରୀଷ୍ମପ୍ରବାହ

ଜାତିସଂଘ, ୨୭।୧୦: ୟୁରୋପରେ ଗ୍ରୀଷ୍ମପ୍ରବାହର ନାଟକୀୟ ପରିବର୍ତ୍ତନ ଉକ୍ତ ମହାଦେଶକୁ ଗଭୀର ପ୍ରଭାବିତ କରିବା ଆଶଙ୍କା ଉପୁଜିଥିବାବେଳେ ଏସିଆ ଓ ଆଫ୍ରିକା ଅତି ଉଚ୍ଚ ତାପମାତ୍ରାରେ କବଳିତ ହେବେ। ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୨୦୫୦ ମସିହା ସୁଦ୍ଧା ବିଶ୍ୱର ୨ ବିଲିୟନରୁ ଊର୍ଦ୍ଧ୍ୱ ଶିଶୁ ଲଗାତର ଗ୍ରୀଷ୍ମପ୍ରବାହରେ ପ୍ରଭାବିତ ହେବେ।

‘ଦ କୋଲ୍ଡେଷ୍ଟ ଇୟର ଅଫ୍‌ ଦ ରେଷ୍ଟ ଅଫ୍‌ ଦେୟାର ଲାଇଭ୍‌ସ’ (ସେମାନଙ୍କ ଅବଶିଷ୍ଟ ଜୀବନର ସବୁଠୁ ଥଣ୍ଡା ବର୍ଷ) ଶୀର୍ଷକ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି, ଆସନ୍ତା ୩ ଦଶନ୍ଧି ମଧ୍ୟରେ ନିମ୍ନ ସବୁଜଗୃହ ବାଷ୍ପ ଉତ୍ସର୍ଜନ ସତ୍ତ୍ୱେ ୧.୭ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରା ବୃଦ୍ଧି ଘଟିବ। ବର୍ତ୍ତମାନ ୫ ଶହ ନିୟୁତ ଶିଶୁ ଗ୍ରୀଷ୍ମପ୍ରବାହ ଦ୍ୱାରା ପ୍ରଭାବିତ ହୋଇଥିବାବେଳେ ଉପରୋକ୍ତ ସ୍ଥିତି ଉପୁଜିଲେ ଆହୁରି ୬ ଶହ ନିୟୁତରୁ ଊର୍ଦ୍ଧ୍ୱ ଶିଶୁ ଏହା କବଳକୁ ଆସିଯିବେ। ୟୁନିସେଫ୍‌ ମୁଖ୍ୟ କ୍ୟାଥେରିନ୍‌ ରସେଲ କହିଛନ୍ତି, ଅତ୍ୟଧିକ ଗ୍ରୀଷ୍ମପ୍ରବାହକୁ ସାମ୍‌ନା କରୁଥିବା ଦେଶଗୁଡ଼ିକର ପ୍ରତି ୩ରୁ ଜଣେ ଶିଶୁ ଏବଂ ଉଚ୍ଚ ତାପମାତ୍ରାରେ ସିଝୁଥିବା ରାଷ୍ଟ୍ରର ପ୍ରତି ୪ରୁ ଜଣେ ଶିଶୁଙ୍କ ଅବସ୍ଥା ଖରାପ ହୋଇସାରିଲାଣି।

Share