୨୦୩୦ ସୁଦ୍ଧା ଟ୍ରେନ୍‌ରେ ୪୫% ପଣ୍ୟ ପରିବହନ ଲକ୍ଷ୍ୟ

ଭୁବନେଶ୍ୱର,୨୯। ୧୦(ବ୍ୟୁରୋ): ପଣ୍ୟ ପରିବହନ ଅଂଶ ବୃଦ୍ଧି ଲକ୍ଷ୍ୟରେ ରେଳ ମନ୍ତ୍ରଣାଳୟ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି। ବର୍ତ୍ତମାନର ୨୮% ପଣ୍ୟ ପରିବହନକୁ ୨୦୩୦ ସୁଦ୍ଧା ୪୫% ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଲକ୍ଷ୍ୟ ରହିଛି। ଏନେଇ ଜାତୀୟ ରେଳ ଯୋଜନା(ଏନ୍‌ଆର୍‌ପି)-୨୦୩୦ର ଅଧ୍ୟକ୍ଷ ତଥା ରେଳପଥ ବୋର୍ଡ ଅଧ୍ୟକ୍ଷ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ ବୋର୍ଡର ପଦାଧିକାରୀ, ଜୋନାଲ ମହାପ୍ରବନ୍ଧକ, ବିଭାଗୀୟ ମୁଖ୍ୟ, ଡିଆର୍‌ଏମ୍‌ ଓ ଅନ୍ୟ ପ୍ରମୁଖ ଅଧିକାରୀଙ୍କ ସହ ଏକ ବୈଠକ ବସିଥିଲା। ଏଥିରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ, ଖୋର୍ଦ୍ଧା ରୋଡ୍‌, ସମ୍ବଲପୁର ଏବଂ ୱାଲ୍‌ଟିୟର ରେଳମଣ୍ଡଳର ପ୍ରବନ୍ଧକଙ୍କ ସମେତ ପ୍ରମୁଖ ବିଭାଗୀୟ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ(ଏଆଇ), ଡାଟା ଆନାଲିଟିକ୍ସ ଓ ଏନ୍‌ଆର୍‌ପି ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ତଥ୍ୟ ବିଶ୍ଳେଷଣ ଓ କୃତ୍ରିମ ବୁଦ୍ଧିମତାର ବ୍ୟବହାର ସହିତ ଚାହିଦା ଅନୁଯାୟୀ ଟ୍ରେନ୍‌ ଚଳାଇବା, ସେବା ଗୁଣବତ୍ତା ଉନ୍ନତ କରିବା, ଉତ୍କୃଷ୍ଟ ଉତ୍ସ ବ୍ୟବହାର ମାଧ୍ୟମରେ ଖର୍ଚ୍ଚ ନିୟନ୍ତ୍ରଣ କରିବା, ଭବିଷ୍ୟତର ଭିତ୍ତିଭୂମି ଯୋଜନା, କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ଓ ଅଭିଯୋଗ ହ୍ରାସ କରିବା ଆଦି ସମ୍ବନ୍ଧରେ ଆଲୋଚନା କରାଯାଇଥିଲା।