Categories: ଖେଳ

କଟକରେ ପୁଣି ବିଡବ୍ଲ୍ୟୁଏଫ୍‌ ଟୁର୍‌ ସୁପର-୧୦୦

କଟକ,୯ା୧୨(ସୁପ୍ରିୟା ପ୍ରିୟଦର୍ଶିନୀ): ରାଜ୍ୟ ବ୍ୟାଡ୍‌ମିଣ୍ଟନ ପ୍ରେମୀମାନଙ୍କୁ ପୁଣି ଥରେ ଅନେକ ତାରକା ଖେଳାଳିଙ୍କୁ ଦେଖିବାର ସୁଯୋଗ ମିଳିବ। କାରଣ କଟକରେ ପୁଣି ଥରେ ଆୟୋଜନ ହେବାକୁ ଯାଉଛି ଏସିଆ ମହାଦେଶର ଅନ୍ୟତମ ମର୍ଯ୍ୟାଦାଜନକ ଟୁର୍ନାମେଣ୍ଟ ବିଡବ୍ଲ୍ୟୁଏଫ ଟୁର୍‌ ସୁପର-୧୦୦। ଆସନ୍ତା ୧୨ ତାରିଖରୁ ଆରମ୍ଭ ହୋଇ ଏହା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ସମସ୍ତ ମ୍ୟାଚ୍‌ ଖେଳାଯିବ। ବ୍ୟାଡ୍‌ମିଣ୍ଟନ ୱାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ) ଦ୍ୱାରା ଆୟୋଜିତ ଏହି ଟର୍ନାମେଣ୍ଟ ଲଗାତର ଦ୍ୱିତୀୟ ଥର ଓଡ଼ିଶାରେ ହେବାକୁ ଯାଉଛି। ବିଡବ୍ଲ୍ୟୁଏଫ ଟୁର୍‌ ସୁପର-୧୦୦ର ଚଳିତ ସଂସ୍କରଣର ନାମ ରଖାଯାଇଛି ଓଡ଼ିଶା ମାଷ୍ଟର୍ସ-୨୦୨୩। ପ୍ରଥମ ସଂସ୍କରଣ ମଧ୍ୟ କଟକରେ ଖେଳାଯାଇଥିଲା। ୨୦୨୨ରେ ହୋଇଥିବା ପ୍ରଥମ ସଂସ୍କରଣ ବେଶ୍‌ ସଫଳ ହେବା ପରେ ପୁନର୍ବାର କଟକରେ ଆୟୋଜନ କରିବାକୁ ସ୍ଥିର କରାଯାଇଛି। ଏହି ପରିପ୍ରେକ୍ଷୀରେ କ୍ରୀଡ଼ା ସଚିବ ଆର. ଭିନିଲ କ୍ରିଷ୍ଣା କହିଛନ୍ତି ଯେ, ଏହି ଖେଳର ପ୍ରଚାର, ପ୍ରସାର ପ୍ରତି ବିଶେଷ ଦୃଷ୍ଟି ଦିଆଯାଉଛି । କଟକରେ ପୁଣି ଥରେ ଓଡ଼ିଶା ମାଷ୍ଟର୍ସ ଆୟୋଜନ କରାଯିବ। ବ୍ୟାଡ୍‌ମିଣ୍ଟନ ପ୍ରତି ଗୁରୁତ୍ୱ ଦିଆଯାଉଛି। ରାଜ୍ୟର ଖେଳାଳିମାନଙ୍କ ପାଇଁ ଏହା ଉତ୍ସାହପ୍ରଦ ହେବ ବୋଲି ସେ କହିଥିଲେ। ଏହି କ୍ରୀଡ଼ା ଭିତ୍ତିଭୂମିର ବିକାଶ ଯେତିକି ଜରୁରୀ, ଏଭଳି ଅନ୍ତର୍ଜାତୀୟ ସ୍ତରର ଟୁର୍ନାମେଣ୍ଟ ଆୟୋଜନ ମଧ୍ୟ ସେତିକି ଜରୁରୀ। ବିଶ୍ୱର ଅନେକ ରାଷ୍ଟ୍ରର ପ୍ରତିଭାବାନ ବ୍ୟାଡ୍‌ମିଣ୍ଟନ ଖେଳାଳି ଟୁର୍ନାମେଣ୍ଟରେ ଭାଗ ନେବେ ବୋଲି ସଚିବ କହିଛନ୍ତି। ଟୁର୍ନାମେଣ୍ଟର ପୁରସ୍କାର ରାଶି ହେଉଛି ୧ ଲକ୍ଷ ଡଲାର, ଭାରତୀୟ ମୂଦ୍ରାରେ ଯାହା ପ୍ରାୟ ୮୪ଲକ୍ଷ ଟଙ୍କା ସହ ସମାନ। ଭାରତର ନାମୀଦାମୀ ବ୍ୟାଡ୍‌ମିଣ୍ଟନ ତାରକାଙ୍କ ସମେତ ବିଦେଶୀ ରାଷ୍ଟ୍ରର ପ୍ରତିଯୋଗୀମାନେ ଏଥିରେ ଭାଗ ନେବେ । ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଟୁର୍ନାମେଣ୍ଟ ଆୟୋଜନ ନେଇ ସମସ୍ତ ପ୍ରସ୍ତୁତି ଗ୍ରହଣ କରାଯାଉଛି।

Share