ଆଜିଠୁ ଖରିଫ ଧାନ କିଣା

ବରଗଡ଼ ଅଫିସ୍‌,୨୦।୧୧: ବରଗଡ଼ ଜିଲାରେ ସୋମବାରଠାରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାର ୨୨୦ ମଣ୍ଡିରେ ଧାନ କିଣାବିକା ଚାଲିବ। ଏଥର ଜିଲାରେ ଧାନକ୍ରୟ ଲକ୍ଷ୍ୟ ୫୫ଲକ୍ଷ ୨୬ହଜାର ୯୧୧ କୁଇଣ୍ଟାଲ ରହିଛି। ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଏବଂ ସ୍ବୟଂ ସହାୟିକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଜରିଆରେ ଯୋଗାଣ ନିଗମ ଧାନ କିଣିବ। ଧାନ ସଂଗ୍ରହ ପ୍ରକ୍ରିୟାରେ ଏଥର ୧୧୨ ମିଲର୍ସ ସାମିଲ ହେବେ ଏବଂ ପ୍ରଥମ ପର୍ଯ୍ୟାୟରେ ୧ଲକ୍ଷ ୭୦ହଜାର ୫୫୭ ଟୋକନ ରିଲିଜ୍‌ ହୋଇଥିବା ଜିଲା ଯୋଗାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି।

ଧାନ ସଂଗ୍ରହ ପ୍ରକ୍ରିୟା ଅବ୍ୟବହିତ ପୂର୍ବରୁ ଶନିବାର ବରଗଡ଼ ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ପରିସରରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲାପାଳ ମୋନିଷା ବାନାର୍ଜୀ, ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋ, ଭାରପ୍ରାପ୍ତ ଆର୍‌ଏମ୍‌ସି ସମ୍ପାଦକ ସଦାକର କୁମ୍ଭାର, ଦୁର୍ଗାପ୍ରସାଦ ଛୁରିଆ, ସହକାରୀ ଯୋଗାଣ ଅଧିକାରୀ ଜ୍ୟୋତ୍ସ୍ନା କର୍ଣ୍ଣଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ବିଭାଗୀୟ କର୍ମଚାରୀ, ଏସ୍‌ଏଚ୍‌ଜି ମହିଳାଙ୍କୁ ଧାନ ସଂଗ୍ରହ ପ୍ରକ୍ରିୟାକୁ ସୁରୁଖୁରୁରେ ସମ୍ପାଦନ ପାଇଁ ଜିଲାପାଳ ଏବଂ ଅନ୍ୟ ଅଧିକାରୀମାନେ ବିଭିନ୍ନ ପରାମର୍ଶ ଦେଇଥିଲେ। ଚାଷୀ ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ ।