ଲୁଟେରାଙ୍କ ଟାର୍ଗେଟରେ ବ୍ୟବସାୟୀ

କାମାକ୍ଷାନଗର, ୨୪।୯(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ଲୁଟେରା ଗୋଷ୍ଠୀ ସକ୍ରିୟ ହୋଇଉଠିଛନ୍ତି। ସେମାନେ ମୁଖ୍ୟତଃ ପାଇକାରୀ ବ୍ୟବସାୟୀଙ୍କୁ ଟାର୍ଗେଟ୍‌ କରୁଛନ୍ତି। ବ୍ୟବସାୟୀମାନେ ଟଙ୍କା ଆଦାୟ କରି ଫେରୁଥିବାବେଳେ ରାସ୍ତାରେ ଆକ୍ରମଣ କରି ଲୁଟ୍‌ପାଟ୍‌ କରୁଛନ୍ତି। ଗତ ୮ ତାରିଖରେ ଢେଙ୍କାନାଳ ସଦର ମହକୁମାର ଦେବୀ ମେଡିସିନ୍‌ ପାଇକାରୀ ଔଷଧ ଦୋକାନ କର୍ମଚାରୀଙ୍କୁ କାମାକ୍ଷାନଗର ଥାନା ଜଡ଼ାପାଳ ଛକ ନିକଟରେ ଦୁର୍ବୃତ୍ତମାନେ ଆକ୍ରମଣ କରି ପ୍ରାୟ ୬୦ ହଜାର ଟଙ୍କା ଲୁଟି ନେଇଥିଲେ। ଗତ ଗୁରୁବାର କଙ୍କଡ଼ାହାଡ଼-କାମାକ୍ଷାନଗର ରାସ୍ତାର କ୍ରଶର ନିକଟରେ ଅନୁରୂପ ଘଟଣା ଘଟିଛି। ଶାନ୍ତି ଏଜେନ୍ସି କର୍ମଚାରୀ ପ୍ରଶାନ୍ତ ବେହେରା, ମହିମା ଫାର୍ମାଟିକାଲ୍ସର ଦୀପ୍ତିରଞ୍ଜନ ସେଠୀଙ୍କୁ ଆକ୍ରମଣ କରି ଅଭିଯୁକ୍ତମାନେ ୯୦ ହଜାର ଟଙ୍କା ଛଡ଼ାଇ ନେଇଛନ୍ତି। ଉଭୟେ ଏକ ବାଇକ୍‌ରେ ଆସୁଥିବା ବେଳେ ଏହି ଘଟଣା ଘଟିଥିଲା।
ଦୁର୍ବୃତ୍ତମାନେ ଏକ ବାଇକ୍‌ରେ ଆସି ଉଭୟଙ୍କୁ ଅଟକାଇଥିଲେ। ପରେ ପିସ୍ତଲ ଏବଂ ଭୁଜାଲି ଦେଖାଇ ଭୟଭୀତ କରାଇ ଟଙ୍କା ଛଡ଼ାଇ ନେଇଥିଲେ। ପ୍ରଶାନ୍ତଙ୍କଠାରୁ ୩୭ ହଜାର ୫୨୯ ଟଙ୍କା ଏବଂ ଦୀପ୍ତିରଞ୍ଜନଙ୍କଠାରୁ ୫୪ ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଦୁହେଁ କଙ୍କଡ଼ାହାଡ଼ ଥାନାକୁ ଅଭିଯୋଗ କରିବାକୁ ଯାଇଥିବାବେଳେ ଘଟଣା ଉକ୍ତ ଥାନା ଅଞ୍ଚଳରେ ଘଟି ନ ଥିବା କହି ପୋଲିସ ଫେରାଇ ଦେଇଥିଲା। କାମାକ୍ଷାନଗର ଥାନାରୁ ମଧ୍ୟ ଅନୁରୂପ ଉତ୍ତର ମିଳିଥିଲା। ତେବେ ଔଷଧ ବ୍ୟବସାୟୀ ସଂଘ ହସ୍ତକ୍ଷେପ କରିବାରୁ ଘଟଣାର ୨୪ ଘଣ୍ଟା ପରେ କାମାକ୍ଷାନଗର ଥାନାରେ ମାମଲା ରୁଜୁ କରାଯାଇଛି। ମାମଲା ରୁଜୁକୁ ନେଇ ଦୁଇ ଥାନା ମଧ୍ୟରେ ଟଣାଓଟରା ଚର୍ଚ୍ଚାର ବିଷୟ ପାଲଟିଛି। ଏ ନେଇ ଏସ୍‌ଡିପିଓ ରଞ୍ଜନ କୁମାର ଦେଓ କୁହନ୍ତି, ଏ ସମ୍ପର୍କରେ ସୂଚନା ମିଳିବା ପରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୁକ୍ତଙ୍କ ବିରୋଧର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।