୩ ମହଲା ବିଶିଷ୍ଟ ବ୍ୟବସାୟିକ ପ୍ରତିଷ୍ଠାନ ସିଲ୍‌

ଯାଜପୁର ଟାଉନ,୧୬ା୭(ଡି.ଏନ.ଏ.): ଯାଜପୁର ସହରର ମୁଖ୍ୟ ରାସ୍ତା କୁସୁମା ରୋଡ୍‌ରେ ଥିବା ଏକ ୩ ମହଲା ବିଶିଷ୍ଟ ବ୍ୟବସାୟିକ ପ୍ରତିଷ୍ଠାନକୁ ଟ୍ରେଡ୍‌ ଲାଇସେନ୍ସ ଓ ବ୍ୟବସାୟିକ ଘର ପାଇଁ ପ୍ଲାନିଂ ଅନୁମତି ନ ଥିବାରୁ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଶୁକ୍ରବାର ସିଲ୍‌ କରିଛନ୍ତି। ଏହି ଘରେ ବ୍ୟବସାୟ ଚାଲିଥିବାରୁ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ୪ ତାରିଖ ଦିନ ଏକ ନୋଟିସ୍‌ ଜାରି କରି ୭ ଦିନ ମଧ୍ୟରେ ବ୍ୟବସାୟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏହି ବ୍ୟବସାୟ ଅନୁଷ୍ଠାନ ବନ୍ଦ ନ ହେବାରୁ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ପୋଲିସ ସହାୟତାରେ ଏହାକୁ ସିଲ୍‌ କରିଛନ୍ତି। କୋରେଶା ବିବି ନାମକ ଜଣେ ମହିଳା ଉକ୍ତ ୩ ମହଲା ଘର କରି ୨୦୧୫ରୁ ବିଭିନ୍ନ ଲୋକଙ୍କୁ ଭଡା ଦେଇ ବ୍ୟବସାୟିକ ଅନୁଷ୍ଠାନ ଚଳାଉଥିଲା। କୁସୁମା ପାର୍କ ଯାଜପୁରର ଏକ ଜଣାଶୁଣା ପର୍ଯ୍ୟଟନସ୍ଥଳୀ। ଯେଉଁଠିକି ପ୍ରାୟ ପ୍ରତ୍ୟେକ ଦିନ ହଜାରହଜାର ପର୍ଯ୍ୟଟକ ଆସିଥାନ୍ତି। ତେବେ ଏହି ବ୍ୟବସାୟିକ କୋଠାଟି ବିନା ଅନୁମତିରେ ନିର୍ମାଣ କରାଯାଇଥିବାରୁ ବିଭିନ୍ନ ସମୟରେ ଟ୍ରାଫିକ୍‌ ସମସ୍ୟା ଦେଖାଦେଇଥାଏ।
ଜିଲାପାଳ ଏହି ବ୍ୟବସାୟିକ ଅନୁଷ୍ଠାନକୁ ବନ୍ଦ କରିବା ପାଇଁ ମ୍ୟୁନିସିପାଲିଟିକୁ ନିର୍ଦ୍ଦେଶ ଦେଇଥିଲେ। ପରେ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ କୋରେଶାଙ୍କୁ ନୋଟିସ କରିଥିଲେ। ହେଲେ ବନ୍ଦ କରାଯାଇ ନ ଥିବାରୁ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଏହାକୁ ଅନିର୍ଦ୍ଦିଷ୍ଟ କାଳପାଇଁ ସିଲ୍‌ କରିଦେଇଥିବା ଜଣାପଡ଼ିଛି। ଏନେଇ ଘର ମାଲିକାଣୀ କୋରେଶା କହିଛନ୍ତି, ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ବେଆଇନ ଭାବେ ଘରକୁ ସିଲ୍‌ କରିଛନ୍ତି। ୨୦୦୪ ଓ ୨୦୧୫ରେ ୨ ମହଲା ପାଇଁ ସ୍ପେଶାଲ ପ୍ଲାନିଂ ଅଥରିଟିଙ୍କଠାରୁ ଅନୁମତି ଅଣାଯାଇଛି। ମାତ୍ର ଏହା ସତ୍ତ୍ୱେ କୌଣସି କଥାକୁ ନ ଶୁଣି ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଘର ସିଲ୍‌ କରିଦେବା ବେଆଇନ ବୋଲି ସେ କହିଛନ୍ତି। ଅପରପକ୍ଷରେ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଜୋଷୀ କହିଛନ୍ତି, ବିନା ମ୍ୟୁନିସିପାଲିଟି ଟ୍ରେଡ୍‌ଲାଇସେନ୍ସ ଓ ୩ ମହଲା ଘର ବ୍ୟବସାୟିକ ଅନୁମତି ନ ଥିବାରୁ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ନିୟମ ଅନୁସାରେ ଉକ୍ତ ଘରକୁ ସିଲ୍‌ କରାଯାଇଛି।