ଦ୍ୱୈତନଗରରୁ ଆସୁଥିବା ବସ୍‌ ତାଳବଣିଆରେ ରହିବେ

ପୁରୀ ଅଫିସ ୧୨ା୬: ରଥଯାତ୍ରାକୁ ନେଇ ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ଜିଲା ପ୍ରଶାସନ, ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରହିଛି। ମହାପ୍ରଭୁଙ୍କ ନୀତିକାନ୍ତିଠାରୁ ଆରମ୍ଭ କରି ଘୋଷଯାତ୍ରାକୁ ଶୃଙ୍ଖଳିତ ଭାବରେ ସମ୍ପାଦନ କରିବା ନେଇ ସେବାୟତମାନେ ପ୍ରସ୍‌ୁତ ରହିଛିନ୍ତି। ଏହି ପରିପ୍ରେକ୍ଷୀରେ ରବିବାର ଟ୍ରାଫିକ ପୋଲିସ ଏବଂ ପୁରୀ ବସ୍‌ ଆସୋସିଏଶନ୍‌, କଟକ ଓ ଭୁବନେଶ୍ୱର ବସ୍‌ ଆସୋସିଏଶନ୍‌ ଏବଂ ରାଜ୍ୟ ବସ୍‌ ଆସୋସିଏଶନ ସହ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ଏସ୍‌ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଟ୍ରାଫିକ ଡିଏସ୍‌ପି ନିରଞ୍ଜନ ସବର, ଟ୍ରାଫିକ ଥାନା ଅଧିକାରୀ ସଙ୍ଗୀତା ଦାସ ଏବଂ ପରିବହନ ଅଧିକାରୀ ରବିନ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। ବୈଠକରେ ମହାପ୍ରଭୁଙ୍କ ଘୋଷଯାତ୍ରା ସମୟରେ ବସ୍‌ ଭକ୍ତ ଏବଂ ଯାତ୍ରୀମାନଙ୍କୁ କିପରି ସେବା ଯୋଗାଇଦେବେ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ନିଷ୍ପତ୍ତି ଅନୁଯାୟୀ ତାଳବଣିଆ ଏବଂ ମାଳତିପାଟପୁରଠାରେ ଦୁଇଟି ସ୍ଥାନରେ ଘୋଷଯାତ୍ରା ସମୟରେ ବସ୍‌ ରହିବ। ମାଳତିପାଟପୁରରେ ଯାତ୍ରୀବାସୀ ବସ୍‌ଗୁଡିକ ରହିବ। ସେହିପରି ଲୋକାଲ ଯାତ୍ରୀବାହୀ ଗାଡିଗୁଡିକ ତାଳବଣିଆସ୍ଥିତ ଅସ୍ଥାୟୀ ବସଷ୍ଟାଣ୍ଡରେ ରହିବ। ଭୁବନେଶ୍ୱର ଓ କଟକରୁ ଆସୁଥିବା ବସ୍‌ଗୁଡିକ ମାତଳିପାଟପୁର ଓଭରବ୍ରିଜ ଦେଇ ତାଳବଣିଆକୁ ଆସିବେ। ଏହି ନିୟମ ରଥଯାତ୍ରା, ବାହୁଡ଼ା ଯାତ୍ରା ଏବଂ ସୁନାବେଶ ଦିନ ଲାଗୁ ହେବ। ତେବେ ଅନ୍ୟଦିନରେ ଚାଳକମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଲାଗୁ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଅପରପକ୍ଷେ ରଥଯାତ୍ରା, ବାହୁଡ଼ା ଯାତ୍ରା ଏବଂ ସୁନାବେଶ ଦିନରେ ଅଟୋଗୁଡିକୁ ଟାଉନ୍‌ ପ୍ରବେଶ ପାଇଁ ବାରଣ କରାଯାଇଛି। ସେହିପରି କୌଣସି ଚାଳକ ନିଶା ସେବନ କରି ଗାଡି ଚଳାଇବେ ନାହିଁ। ଭକ୍ତମାନଙ୍କୁଠାରୁ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଟଙ୍କା ନେବେ ନାହିଁ। ଓଭର ଲୋଡିଂ କରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ବସ୍‌ରେ ରେଟ ଚାର୍ଟ ଲାଗାଯିବ, ଗାଡି ଚଳାଇବାବେଳେ ମୋବାଇଲ ବ୍ୟବହାର କରିବେ ନାହିଁ। ଗାଡି ଲିମିଟ୍‌ ବେଗରେ ଚଲାଇବେ। ଚେକିଂ କରିବା ପାଇଁ ଅଫିସରମାନେ ଦାୟିତ୍ୱରେ ରହିବେ। ବସ୍‌ କେଉଁ କ୍ୟାଟୋଗୋରିର ତାହା ଉଲ୍ଲେଖ ରହିବ। ଆଇନ ଉଲ୍ଲଘଂନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ଅଧିକାରୀ ପଟ୍ଟନାୟକ କହିଛନ୍ତି।