ଆମପାଣି ଘାଟିରେ ବସ୍‌-ଟ୍ରକ ମୁହାଁମୁହିଁ: ୨ ଡ୍ରାଇଭରଙ୍କ ସମେତ ଯାତ୍ରୀ ଗୁରୁତର

କୋକସରା,୧୯।୮(ଡି.ଏନ୍‌.ଏ.): କଳାହାଣ୍ଡି-ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟିର ଖଡ଼କା ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଓଏସ୍‌ଆର୍‌ଟିସିର ଏକ ଯାତ୍ରୀବାହୀ ବସ୍‌ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ୨ ଗାଡି ଚାଳକଙ୍କ ସମେତ ବସ୍‌ର ଜଣେ ମହିଳା ଯାତ୍ରୀଙ୍କ ସହ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ଆମପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି କୋକସରା ଓ ଧର୍ମଗଡ଼ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରିଥିଲେ। ଏପରି କି ଦୁର୍ଘଟଣାସ୍ଥଳ ନବରଙ୍ଗପୁର ଜିଲା ହୋଇଥିବାରୁ ମୈଦଳପୁର ପୋଲିସକୁ ଖବର ଦେବା ପରେ ମୈଦଳପୁର ଓ ପାପଡ଼ାହାଣ୍ଡି ପୋଲିସ ସମେତ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିଲେ। ଗୁରୁତର ଡ୍ରାଇଭର ଓ ଯାତ୍ରୀଙ୍କୁ ପାପଡ଼ାହାଣ୍ଡି ଡାକ୍ତରଖାନାକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସଚନା ମୁତାବକ, ଜୟପୁରରୁ ଭବାନୀପାଟଣା ଆସୁଥିବା ସରକାରୀ ବସ୍‌ (ନଂ.ଓଡି ୦୮-୭୦୫୩) ଏବଂ ବିପରୀତ ଦିଗରୁ ଆସୁଥିବା ଟ୍ରକ (ନଂ. ଟିଏସ୍‌-୦୬ ୟୁସି ୩୫୮୯) ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ପରେ ୨୬ ନଂ ଜାତୀୟ ରାଜପଥରେ ପ୍ରାୟ ୩ ଘଣ୍ଟା ଧରି ଯାତାୟାତ ପ୍ରଭାବିତ ହୋଇଥିଲା । ଦୁର୍ଘଟଣା ଗ୍ରସ୍ତ ବସକୁ ରାସ୍ତାରୁ ହଟାଇବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା।