ବାରିପଦା,୨୩।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ବାରିପଦା ସହରର ପାଲବଣିଠାରେ ବ୍ୟାପକ ଗଛକାଟି ଆନ୍ତଃରାଜ୍ୟ ବସ୍ଷ୍ଟାଣ୍ଡ ନିର୍ମାଣ ଘଟଣାରେ ମୟୂରଭଞ୍ଜ ଜିଲା ବିଜୁଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି। ସୋମବାର ସକାଳେ ଦଳୀୟ ନେତୃବୃନ୍ଦ ଜିଲାପାଳ ହେମକାନ୍ତ ସୟଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ପତ୍ରର ଏକକିତା ନକଲ ରାଜସ୍ବ ବିଭାଗ, ବନ ଓ ପରିବେଶ ବିଭାଗ ସଚିବ, ଓଡ଼ିଶା ବନ ଉନ୍ନୟନ ନିଗମ ଅଧ୍ୟକ୍ଷ ଏବଂ ଓଏସଆରଟିସି ପ୍ରଧାନ ସଚିବଙ୍କୁ ମଧ୍ୟ ପ୍ରଦାନ କରାଯାଇଛି।
ବିଜେଡିର ଅଭିଯୋଗ ଅନୁଯାୟୀ, ବସ୍ଷ୍ଟାଣ୍ଡ ନିର୍ମାଣ ପାଇଁ ଗତ ୧୭ ତାରିଖରୁ ଅନେକ ହଜାର ଗଛ କାଟିବା କାର୍ଯ୍ୟ ଆରମ୍ଭ ହୋଇଛି। ନୂଆ ବସ୍ଷ୍ଟାଣ୍ଡ ପାଇଁ ମନୋନୀତ ସ୍ଥାନଟି ଅତି ଘଞ୍ଚ ସବୁଜ ଆଚ୍ଛାଦିତ ଅଞ୍ଚଳ। ଏଠାରେ ଶାଳଠାରୁ ଆରମ୍ଭ କରି ମୂଲ୍ୟବାନ ଗଛ ଭରପୂର ମାତ୍ରାରେ ଥିବାରୁ ସହରର ଅମ୍ଳଜାନର ଉତ୍ସ ଭାବେ କାର୍ଯ୍ୟ କରୁଥିଲା। କିନ୍ତୁ ସ୍ଥାନୀୟ ଲୋକ, ବନ ସୁରକ୍ଷା କମିଟିର ମତାମତ ନ ନେଇ ଜିଲା ପ୍ରଶାସନ ଏକପାଖିଆ ଭାବେ ନୂଆ ବସ୍ଷ୍ଟାଣ୍ଡ ନିର୍ମାଣ କରିବାକୁ ନିଷ୍ପତ୍ତି ନେବା ସ୍ଥାନୀୟ ଲୋକ ଓ ପରିବେଶପ୍ରେମୀଙ୍କୁ ହତବାକ୍ କରିଛି। ଯଦି ଏହି ନୂଆ ଆନ୍ତଃରାଜ୍ୟ ବସ୍ଷ୍ଟାଣ୍ଡ ନିର୍ମାଣ ପାଇଁ ଗଛକଟା ବନ୍ଦ କରା ନ ଯାଏ ତେବେ ବାରିପଦାରେ ଜଙ୍ଗଲ ଅଞ୍ଚଳ ହ୍ରାସ ପାଇ ଭବିଷ୍ୟତରେ ଅନେକ ପରିବେଶଗତ ସମସ୍ୟା ଉତ୍ପନ୍ନ ହେବ। ପୂର୍ବରୁ ଜିଲା ପ୍ରଶାସନ ବାରିପଦା ସର୍କଲ ଜେଲ ଅଧୀନରେ ଥିବା ମୁର୍ଗାବାଡ଼ିଠାରେ ଏକ ଉପଯୁକ୍ତ ଜମି ଚିହ୍ନଟ କରିଥିଲା ଏବଂ ଯଥେଷ୍ଟ କ୍ଷତିପୂରଣ ନେଇ ସେଠାରେ ନୂଆ ବସ୍ଷ୍ଟାଣ୍ଡ କରିବାକୁ ଯୋଜନା କରିଥିଲା। କିନ୍ତୁ ବିନା ବିସ୍ତୃତ ଅଧ୍ୟୟନରେ ପ୍ରଶାସନ ଏକତରଫା ଭାବେ ଗଭୀର ଜଙ୍ଗଲ ଭିତରେ ବସ୍ଷ୍ଟାଣ୍ଡ ନିର୍ମାଣ କରିବାକୁ ନିଷ୍ପତ୍ତି ନେବା ଦୁର୍ଭାଗ୍ୟ ଜନକ ବୋଲି ବିଜେଡି ଅଭିଯୋଗ କରିଛି।
ଦଳ ପକ୍ଷରୁ ଜିଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡିିଂ, ଜିଲା ପରିଷଦ ଅଧ୍ୟକ୍ଷା ଭାରତୀ ହଁାସଦା, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ, ପୂର୍ବତନ ବିଧାୟକ ରାଜକିଶୋର ଦାସ, ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଉପନଗରପାଳ ସୀମା ଦାସ, ଏମସିସି ବ୍ୟାଙ୍କ ସଭାପତି ସୁବ୍ରମଣ୍ୟମ ମହାନ୍ତି, କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତି, ପୂର୍ବତନ ସଭାପତି ଦେବାଶିଷ ମହାନ୍ତି, ପୂର୍ବତନ ଏସଡିସି ଅଧ୍ୟକ୍ଷ ଦେବାଶିଷ ମାରାଣ୍ଡି, ପ୍ରଭାତ ନାୟକ, ଦେବୀଦତ୍ତ ଦାଶ, ସୁନୀଲ ନାୟକ, ଅରୁଣ ବରାଡ, ମହେଶ ଭଞ୍ଜଦେଓ, ଦିପ୍ତୀଲତା ମିଶ୍ର, ସବିତା ବେହେରା ଓ ବୀଣାପାଣି ସାହୁଙ୍କ ସମେତ ଶତାଧିକ କର୍ମକର୍ତ୍ତା ଦଳୀୟ କାର୍ଯ୍ୟାଳୟ ବିଜୁଭବନରୁ ପଦଯାତ୍ରାରେ ଯାଇ ଜିଲାପାଳଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ କରିଥିଲେ।
ବାରିପଦାର ପାଲବଣିଠାରେ ହେବାକୁ ଥିବା ଆନ୍ତଃରାଜ୍ୟ ବସ୍ଷ୍ଟାଣ୍ଡ ନିର୍ମାଣ ରୋକିବାକୁ କିଛି ନ୍ୟସ୍ତସ୍ବାର୍ଥ ଲୋକ ଲାଗିଛନ୍ତି। ପରିବେଶକୁ ଆଳ କରି ନିଜର ପକେଟ ଗରମ କରିବାକୁ ଚାହୁଁଛନ୍ତି ବୋଲି ବସଷ୍ଟାଣ୍ଡ ସପକ୍ଷବାଦୀ ବିଭିନ୍ନ ସଂଗଠନ ମତପୋଷଣ କରିଛନ୍ତି। ରବିବାର ପାଲବଣି ଦୁର୍ଗାପୂଜା ମଣ୍ଡପରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ପାଲାବଣି ଦୁର୍ଗାପୂଜା କମିଟି, ଲକ୍ଷ୍ମୀପୂଜା କମଟି, ଷ୍ଟେଶନ ଆଥଲେଟିକ ଆସୋସିଏସନ, ମୟୂରଭଞ୍ଜ ସିନିୟର ସିଟିଜେନ ଫୋରମ, ମୟୂରଭଞ୍ଜ ଟ୍ରକ ଆସୋସିଏସନ, ଲେଟକଟ କ୍ଲବ, ଛାଞ୍ଚ ଉନ୍ନୟନ ପରିଷଦ, ପଞ୍ଚତରକା କ୍ଲବର କାର୍ଯ୍ୟକର୍ତ୍ତାମାନେ ବସଷ୍ଟାଣ୍ଡ ନିର୍ମାଣ ବିରୋଧକୁ ନାପସନ୍ଦ କରିଛନ୍ତି। ଗିରିଶଚନ୍ଦ୍ର ଦାସ, ଅଶିତ କର, ଆଦିତ୍ୟ ଦଣ୍ଡପାଟ, ସଞ୍ଜୀବ ଦ୍ବିବେଦୀ, ଦେବବ୍ରତ ସାମଲ, ତ୍ରିଲୋଚନ ଗିରି, ଅଶୋକ କୁମାର ଗିରି, ଶାଶାଙ୍କ ଶେଖର କର, ଶଙ୍କୁ ପାଲ, ହରିଶ ହେମ୍ବ୍ରମ୍ବ, ପ୍ରଦୀପ ମୁର୍ମୁ, ଦେବାଶିଷ ପାତ୍ର, ଜେ.ଯାନକି ରାମ, ରତିକାନ୍ତ ବେହେରା, ରାଜେଶ ନାୟକ, ରଞ୍ଜନ ପଟ୍ଟାନାୟକ, ଅଜୟ କୁମାର ଦାସ, ସୁଂଧାଶୁ ଶେଖର ଦାସ ପ୍ରମୁଖ ବିଭିନ୍ନ ସଂଗଠନର କାର୍ଯ୍ୟକର୍ତ୍ତାମାନେ ଏହି ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily


