Categories: ଫୁରସତ

ବସ୍‌ ପାଲଟିଲା ଘର

ଡେନ ଓ ଡିନା ନାମକ ଦମ୍ପତି ସହରର ବ୍ୟସ୍ତବହୁଳ ଜୀବନ ବିତାଇବାକୁ ଆଉ ଚାହୁଁ ନ ଥିଲେ। ଅଫିସ୍‌ରୁ ଘର। ଘରୁ ପୁଣି ଅଫିସ୍‌। ମାତ୍ର ୨-୩ ଘଣ୍ଟା ସମୟ ପିଲାଙ୍କ ସହ ଏକାଠି ବିତାଇବାକୁ ମିଳୁଥିଲା। ତେଣୁ ନିଷ୍ପତ୍ତି ନେଲେ ପିଲାଙ୍କୁ ପୁରା ସମୟ ଦେବା ସହ ଖୁବ୍‌ ବୁଲିବେ। ଏହି ଯୋଜନାକୁ ପୁରଣ କରିବା ଲାଗି ସେମାନେ ଏକ ଡବଲ ଡେକର୍‌ ବସ୍‌ର ସାହାଯ୍ୟ ନେଲେ। ଯାହାର ଲମ୍ବ ୪୫ ଫୁଟ ଓ ଉଚ୍ଚତା ୧୩ ଫୁଟ ଥିଲା। ଏହି ବସ୍‌କୁ ସେମାନେ ରିନୋଭେଟ୍‌ କରି ଏକ ଦୁଇ ମହଲାର ସୁନ୍ଦର ଘରରେ ପରିଣତ କରିଦେଲେ। ଯାହା ଭିତରେ ସେ ଦୁହେଁ ଓ ତାଙ୍କର ୬ ସନ୍ତାନ ବେଶ୍‌ ଆରାମ୍‌ରେ ରହିପାରିଲେ। ତା’ସହ ସେମାନେ ବିଭିନ୍ନ ସ୍ଥାନ ବୁଲିପାରିଲେ। ଏହାର କକ୍‌ପିଟ୍‌ ଏରିଆ ଅଧିକ ବଡ଼ ହୋଇଥିବାରୁ ସେମାନେ ଏହାକୁ ନିଜର ଅଫିସ୍‌ରେ ପରିଣତ କରିଛନ୍ତି, ଯେଉଁଠି ସେମାନେ କମ୍ପ୍ୟୁଟର ଓ ଜରୁରୀ କାଗଜପତ୍ର ରଖିଛନ୍ତି। ଏହା ନିକଟରେ ଅଛି କିଚେନ୍‌, ଯାହାକି ଖୁବ୍‌ ଆଧୁନିକ। ଏଥିରେ ଏକ ଡାଇନିଂ ଏରିଆ ମଧ୍ୟ ଅଛି। ଏହା ମଧ୍ୟରେ ଦୁଇଟି ବାଥ୍‌ରୁମ୍‌ ସହ ଏକ ମାଷ୍ଟର ବେଡରୁମ୍‌ ଅଛି, ଯେଉଁଠି ପଡିଥିବା ବେଡ୍‌କୁ ଆବଶ୍ୟକତାବେଳେ ଫୋଲ୍ଡ କରିହୁଏ। ଉପର ମହଲାରେ ପିଲାଙ୍କ ବେଡ୍‌ରୁମ ଅଛି। ଯାହାକୁ ସେମାନଙ୍କ ଆବଶ୍ୟକତା ମୁତାବକ ସଜାଯାଇଛି। ବସ୍‌ଟିରେ ୪ଟି ୩୫୫ ଓ୍ବାଟ୍‌ର ସୋଲାର୍‌ ପ୍ୟାନେଲ୍‌ ଲାଗିଛି। ଫଳରେ ଏହି ବସ୍‌ ଘରେ ସେମାନେ ବେଶ୍‌ ଭଲ ସମୟ ବିତାଇପାରୁଛନ୍ତି।

Share