ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର ଅଭ୍ୟାସ ଅଧିବେଶନରେ ଏକ ବିଶେଷ ଦୃଶ୍ୟ ସାମ୍ନାକୁ ଆସିଥିଲା। ଟିମ ଇଣ୍ଡିଆର ଷ୍ଟାର୍‌ ବ୍ୟାଟରମାନେ ବଡ଼ ସଟ ଖେଳିବାର ଅଭ୍ୟାସ କରୁଥିବା ବେଳେ ଝାଡ଼ଖଣ୍ଡର ୨୪ ବର୍ଷୀୟ ଦ୍ରୁତ ବୋଲର ରାଜନଦୀପ ସିଂହ ନିଜ ବୋଲିଂରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ।
ଅଭ୍ୟାସ ସମୟରେ ରାଜନଦୀପ ଇଶାନ କିଶନ, ସଞ୍ଜୁ ସାମସନ, ତିଳକ ବର୍ମା ଏବଂ ୧୫ ବର୍ଷୀୟ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ବୋଲିଂ କରିଥିଲେ। ନିୟନ୍ତ୍ରଣ ଓ ଆତ୍ମବିଶ୍ୱାସର ସହ ତାଙ୍କ ବୋଲିଂ ଅନେକ ଥର ବ୍ୟାଟରଙ୍କୁ ଚକମା ଦେଇଥିଲା। କିଛି ବଲ୍ରେ ବ୍ୟାଟରଙ୍କ ବ୍ୟାଟ୍‌ର ବାହାର କଡ଼ ମଧ୍ୟ ଲାଗିଥିଲା। ତାଙ୍କ ପ୍ରଦର୍ଶନକୁ ନେଇ ବରିଷ୍ଠ ଖେଳାଳିମାନେ ପ୍ରଶଂସା କରିଥିବା ଜଣାପଡ଼ିଛି। ଭାରତୀୟ ଦଳର ଅଭିଜ୍ଞ ବ୍ୟାଟରଙ୍କୁ ବୋଲିଂ କରିବାର ଅନୁଭୂତି ବାଣ୍ଟି ରାଜନଦୀପ କହିଛନ୍ତି, ଏହା ତାଙ୍କୁ ନିଜ ଖେଳର ଦୁର୍ବଳତା ଚିହ୍ନିବା ଏବଂ ଆବଶ୍ୟକ ସୁଧାର ଆଣିବାର ସୁଯୋଗ ଦେଇଛି।

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ସେ କହିଛନ୍ତି, ବରିଷ୍ଠ ଖେଳାଳିଙ୍କୁ ବୋଲିଂ କରିବାର ସୁଯୋଗ ମିଳିଲା। ଏଥିରୁ କେଉଁ ଦିଗରେ କାମ କରିବାକୁ ହେବ ଏବଂ କ’ଣ ସୁଧାରିବାକୁ ପଡ଼ିବ, ତାହା ବୁଝିପାରିଲି। ଏଠାରେ ଏହା ମଧ୍ୟ ଶିଖିଲି ଯେ ଟିକିଏ ମଧ୍ୟ ଢିଲା ବଲ ପକାଇବାର ସୁଯୋଗ ନାହିଁ। ସଞ୍ଜୁ ସାର୍‌ ଓ ଅନ୍ୟ ବ୍ୟାଟରମାନେ ମୋ ବୋଲିଂକୁ ପ୍ରଶଂସା କରିଥିଲେ।

ରାଜନଦୀପଙ୍କ କ୍ରିକେଟ ଯାତ୍ରା ଏତେ ସହଜ ନ ଥିଲା। ତାଙ୍କ ବାପା କୁଲୱନ୍ତ ସିଂହ ପଞ୍ଜାବର ଜଳନ୍ଧରରେ ଏକ ସ୍କୁଲ ବସ ଚଳାନ୍ତି। କ୍ରିକେଟ୍‌ରେ ପୂର୍ଣ୍ଣ ଧ୍ୟାନ ଦେବା ପାଇଁ ରାଜନଦୀପ ଦ୍ୱାଦଶ ଶ୍ରେଣୀ ପରେ ପାଠପଢ଼ା ଛାଡ଼ିଥିଲେ। ୨୦୧୬ରେ ପରିବାର ଗଭୀର ଆର୍ଥିକ ସମସ୍ୟାର ସାମ୍ନା କରୁଥିବା ସମୟରେ ସେ କ୍ରିକେଟ ଛାଡ଼ିବାକୁ ମଧ୍ୟ ଚିନ୍ତା କରିଥିଲେ। କିନ୍ତୁ ଆଉ ଗୋଟିଏ ବର୍ଷ ସମୟ ମାଗି ଝାଡ଼ଖଣ୍ଡର ଅଣ୍ଡର-୧୬ ଦଳରେ ସ୍ଥାନ ହାସଲ କରିଥିଲେ।
ଭାରତର ନୂଆ କ୍ରିକେଟ୍‌ ବିସ୍ମୟ ତନ୍ମୟ: ଗୋଟିଏ ଟେଷ୍ଟରେ ୧୪ ଉଇକେଟ ନେଇ ରଚିଲେ ଇତିହାସ

ପରବର୍ତ୍ତୀ ସମୟରେ ଆର୍ଥିକ ସମସ୍ୟା କାରଣରୁ ତାଙ୍କ ପରିବାର ଜଳନ୍ଧର ଫେରିଯାଇଥିଲା। ହେଲେ ନିଜ କ୍ରିକେଟ ସ୍ବପ୍ନକୁ ପୂରଣ କରିବା ପାଇଁ ରାଜନଦୀପ ଝାଡ଼ଖଣ୍ଡରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ତାଙ୍କୁ ଦୁଇରୁ ତିନୋଟି ଆଇପିଏଲ ଫ୍ରାଞ୍ଚାଇଜି ଟ୍ରାଏଲ ପାଇଁ ଡାକିଥିବା ସୂଚନା ମିଳିଛି।

ରାଜନଦୀପ କେବଳ ଜଣେ ଦ୍ରୁତ ବୋଲର ନୁହନ୍ତି, ବ୍ୟାଟିଂରେ ମଧ୍ୟ ତାଙ୍କ ଦକ୍ଷତା ରହିଛି। CK ନାୟଡୁ ଟ୍ରଫିରେ ମେଘାଳୟ ବିପକ୍ଷରେ ସେ ୩୮୭ ବଲ୍‌ରୁ ଅପରାଜିତ ୪୦୦ ରନ କରି ଚର୍ଚ୍ଚାକୁ ଆସିଥିଲେ। ଇଶାନ କିଶନଙ୍କ ନେତୃତ୍ୱରେ ସୈୟଦ ମୁସ୍ତାକ ଅଲୀ ଟ୍ରଫି ଜିତିଥିବା ଝାଡ଼ଖଣ୍ଡ ଦଳରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ। ପଞ୍ଜାବ ବିପକ୍ଷ ଏକ ମ୍ୟାଚ୍‌ରେ ଝାଡ଼ଖଣ୍ଡ ୨୩୫ ରନ୍‌ର ଲକ୍ଷ୍ୟ ପିଛା କରୁଥିବା ବେଳେ ରାଜନଦୀପ ୪ ଓଭରରେ ମାତ୍ର ୩୦ ରନ ଦେଇ ଗୋଟିଏ ଉଇକେଟ ନେଇଥିଲେ।
ଏହି ଟୁର୍ନାମେଣ୍ଟରେ ୮ଟି ମ୍ୟାଚ୍‌ରୁ ୫ଟି ଉଇକେଟ ନେବା ସହ ୭ଟି ଇନିଂସରେ ୪୦ ହାରରେ ଏବଂ ୧୮୬ରୁ ଅଧିକ ଷ୍ଟ୍ରାଇକ ରେଟ୍‌ରେ ୨୦୦ ରନ କରିଥିଲେ। ଝାଡ଼ଖଣ୍ଡ ପ୍ରିମିୟର ଲିଗ୍‌ରେ ମଧ୍ୟ ୮ଟି ମ୍ୟାଚ୍‌ରୁ ୮ଟି ଉଇକେଟ ନେଇଥିଲେ।

ଭାରତୀୟ କ୍ରିକେଟ୍‌ର କିମ୍ବଦନ୍ତୀ ଖେଳାଳି ମହେନ୍ଦ୍ର ସିଂହ ଧୋନୀରାଜନଦୀପଙ୍କ ସବୁଠାରୁ ବଡ଼ ଆଦର୍ଶ। ମ୍ୟାଚ୍ର ପରିସ୍ଥିତିକୁ ଶାନ୍ତ ମନରେ ସମ୍ଭାଳିବାର କଳା ସେ ଧୋନୀଙ୍କଠାରୁ ଶିଖୁଥିବା କହିଛନ୍ତି। ସେହିପରି ଝାଡ଼ଖଣ୍ଡ ଦଳର ଅଧିନାୟକ ଇଶାନ କିଶନଙ୍କୁ ସେ ନିଜର ମାର୍ଗଦର୍ଶକ ଭାବେ ଦେଖନ୍ତି।

Dharitri – Odisha’s No.1 Odia Daily

Share