ମରାମତି ବେଳେ ଗଲା ବସ୍‌ ଚାଳକଙ୍କ ଜୀବନ

ଭବାନୀପାଟଣା,୭।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଗୋବରା ନିକଟରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ବେଲୁନ ସଜାଡୁଥିବା ବେଳେ ଜେକ୍‌ରଡ ଖସିଯିବାରୁ ବସ୍‌ ତଳେ ଚାପିହୋଇ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତ ବସ୍‌ ଚାଳକ ହେଲେ କୋରାପୁଟ ଜିଲା ବୋରିଗୁମା ଥାନା ଅଞ୍ଚଳର ଦେବେନ୍ଦ୍ର ନାଥ ପଟ୍ଟନାୟକ। ପୋଲିସ ସୂଚନା ଅନୁଯାୟୀ, ସୋମବାର ରାତିରେ ଏକ ଘରୋଇ ବସ୍‌ (ନଂ. ସିଜି୨୭ଏମ୍‌-୩୧୪୮) ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିରୁ ନବରଙ୍ଗପୁର ଜିଲା ବୋରିଗୁମାକୁ ରିଜର୍ଭରେ ଯାଉଥିଲା। ଭବାନୀପାଟଣା ସଦର ଥାନା ଗୋବରା ନିକଟ ୨୬ ନଂ. ଜାତୀୟ ରାଜପଥ ଉପରେ ବସ୍‌ର ବେଲୁନ ହଠାତ୍‌ ଫାଟିଯାଇଥିଲା। ଏହା ସଜାଡି ପାଇଁ ବସ ଚାଳକ ଦେବେନ୍ଦ୍ର ଜେକ ସାହାଯ୍ୟରେ ବସ୍‌ ତଳେ ପଶିି କାମ କରୁଥିଲେ। ଏହି ସମୟରେ ହଠାତ୍‌ ଜେକ୍‌ରଡ୍‌ ଖସି ଯିବାରୁ ବସ ତଳକୁ ପଡି ଦେବେନ୍ଦ୍ରଙ୍କୁ ଚାପି ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଦେବେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ସଦର ଥାନା ପୋଲିସ ପହଞ୍ଚତ୍ ସ୍ଥାନୀୟ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲା। ଏ ନେଇ ସଦର ଥାନାରେ ଏକ ମାମଲା (ନଂ.୪୩୨/୨୧) ରୁଜୁ ହୋଇଛି।