ବସ୍‌ ପୋଡ଼ି ଘଟଣା: ୫ ଅଭିଯୁକ୍ତ କୋର୍ଟଚାଲାଣ

ବାରିପଦା ଅଫିସ,୩।୧: ମୟୂରଭଞ୍ଜ ଜିଲା ବାରିପଦା ଉପକଣ୍ଠ ୧୮ନଂ. ଜାତୀୟ ରାଜପଥର ଜୁବୁଲି ପେଟ୍ରୋଲ ପମ୍ପ ନିକଟରେ ରବିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଯୁବକଙ୍କ ସୋମବାର ମୃତ୍ୟୁ ଘଟିଛି। ମୃତକ ହେଲେ ଚାନ୍ଦୁଆ ଥାନା ଅଧୀନ ବିଷୁଭଞ୍ଜ ଗ୍ରାମର ତୁଷାରକାନ୍ତି ସି (୨୧)। ଦୁର୍ଘଟଣା ପରେ ବସ୍‌ ଜାଳିଦେବା ଘଟଣାରେ ୫ ଜଣଙ୍କୁ ଟାଉନ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଝାରପୋଖରିଆ ଥାନା ଗଣ୍ଡିପାଣି ଅଞ୍ଚଳର ରାଜାରାମ ଶୁଭେନ୍ଦୁ ବିକାଶ, ବାରିପଦା ଟାଉନ ଥାନା ଅଧୀନ ବିଜୟରାମଚନ୍ଦ୍ରପୁରର ଧନେଶ୍ୱର ମାରାଣ୍ଡି, କାଳିକାପୁର ୱାର୍ଡ ନଂ. ୨୪ର ସୁମନ୍ତ ମୁଖି, କାର୍ତ୍ତିକ ମୁଖି ଓ କୁଳିଅଣା ଥାନା ତେନ୍ତୁଳିଡିଙ୍ଗା ଅଞ୍ଚଳର ରାଜୀବ ଲୋଚନ ଦାସ। ଏନେଇ ପୋଲିସ ଏକ ମାମଲା (ନଂ.୨/୨୩) ରୁଜୁ କରି ତଦନ୍ତ ଜାରି ରଖିଛି।
ସୂଚନାଯୋଗ୍ୟ, ରବିବାର ଅପରାହ୍ନରେ ଉକ୍ତ ପେଟ୍ରୋଲ ପମ୍ପ ନିକଟ ଡିଭାଇଡରଠାରେ ତୁଷାରକାନ୍ତି ବାଇକ୍‌ ଧରି ସହର ମଧ୍ୟକୁ ଯିବା ପାଇଁ ଅଟକି ରହିଥିଲେ। ଏହି ସମୟରେ ରଞ୍ଜିତା ନାମକ ଏକ ବସ୍‌ ଦ୍ରୁତଗତିରେ ଆସି ପଛପଟୁ ତାଙ୍କୁ ଧକ୍କା ଦେଇ ଡିଭାଇଡର ଉପରକୁ ଚଢ଼ି ଯାଇଥିଲା। ଦୁର୍ଘଟଣାରେ ତୁଷାରକାନ୍ତିଙ୍କ ବାମ ଗୋଡ଼ କଟି ଯାଇଥିଲା। ପିଆର୍‌ଏମ୍‌ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସୋମବାର ସକାଳେ କଟକରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ବସ୍‌ଟିର କାଚ ଭାଙ୍ଗିବା ସହ ପେଟ୍ରୋଲ ଢାଳି ନିଅଁା ଲଗାଇ ଦେଇଥିଲେ। ଏହି ଘଟଣାରେ ପୋଲିସ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅନ୍ୟପଟେ ବସ୍‌ଟି ଏକ ଗ୍ୟାରେଜରୁ ଅନ୍ୟ ଏକ ଗ୍ୟାରେଜକୁ ଯାଉଥିବା ସମୟରେ ହଠାତ୍‌ ଯୁବକ ଜଣକ ବସ୍‌ ସମ୍ମୁଖ ଦେଇ ପାର୍‌ ହେବାକୁ ଚେଷ୍ଟା କରୁଥିବା ବେଳେ ଏଭଳି ଅଘଟଣ ଘଟିଛି ବୋଲି ବସ୍‌ର ହେଲ୍‌ପର ଅଭିଯୋଗରେ ଉଲ୍ଲେଖ କରିଛନ୍ତି।